Latest Odisha News

ଦେଶରେ ପ୍ରଥମ: ବାପା ବସିଥିବା ପ୍ରଧାନ ବିଚାରପତି ଆସନରେ ବସିବେ ପୁୁଅ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଲିତ ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ ଆସନ୍ତା ମାସରେ ନଭେମ୍ବର ୯ରେ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ।  ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବାପା ମଧ୍ୟ ଦେଶର ପ୍ରଧାନ ବିଚାପତି ଥିଲେ। ତେଣୁ ପ୍ରଥମ ଥର ପାଇଁ ଜଣେ ବାପାଙ୍କ ପରେ ପୁଅ ମଧ୍ୟ ଦେଶର ପ୍ରଧାନ ବିଚାରପତି ପଦ ଆସନରେ ବସିବାକୁ ଯାଉଛନ୍ତି।

ପ୍ରଧାନ ବିଚାରପଚି ଜଷ୍ଟିସ ଲଳିତ ୨୭ ଅଗଷ୍ଟ ୨୦୨୨ରେ ୪୯ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ୮ ନଭେମ୍ବରରେ ସେ ଅବସର ନେବାକୁ ଯାଉଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ୨ ବର୍ଷ ୧ ଦିନ ରହିବ। ସେ ୨୦୨୪ରେ ନଭେମ୍ବର ୧୦ରେ ଅବସର ନେବେ।

ଜଷ୍ଟିସ୍ ଚନ୍ଦ୍ରଚୂଡ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଓ୍ୱାଇ.ଭି ଚନ୍ଦ୍ରଚୂଡଙ୍କ ପୁଅ। ଜଷ୍ଟିସ୍ ଓ୍ୱାଇ. ଭି ୧୯୭୮ ରୁ ୧୯୮୫ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ଥିଲେ। ପ୍ରଧାନ ବିଚାରପତି ପଦରେ ସେ ସର୍ବାଧିକ ଦିନ ରହିଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ବିଚାରପତି ଭାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାବେଳେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବା ଖଣ୍ଡପୀଠରେ ରହିଛନ୍ତି। ନିକଟରେ ସେ ଗର୍ଭପାତ ଆଇନ ସମ୍ବନ୍ଧରେ ରାୟ ଶୁଣାଇଥିଲେ। ଏହାପୂର୍ବରୁ ସେ ରାମ ମନ୍ଦିର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେଉଥିବା ଖଣ୍ଡପୀଠରେ ଥିଲେ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା ସହିତ ଜଡିତ ବିଜ୍ଞପ୍ତି ଅନୁଯାୟୀ, ବିଦାୟୀ ପ୍ରଧାନ ବିଚାରପତି ଆଇନ ମନ୍ତ୍ରଣାଳୟର ଏକ ଚିଠି ପାଇବା ପରେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାର ପ୍ରକ୍ରିୟା ଆରମ୍ଭ  ହୁଏ।

Comments are closed.