ଜୟପୁର: କଥାରେ ଅଛି ରାଜନୀତିରେ କିଛି ସ୍ଥାୟୀ ନୁହେଁ । କାଲି ସୋନିଆ ଗାନ୍ଧୀଙ୍କ ଅତି ବିଶ୍ବସ୍ଥ ନେତା ଥିବା ଅଶୋକ ଗେହଲୋଟ ଏବେ ଅସହାୟ । ଏପରିକି ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିଲେ ମଧ୍ୟ ତାଙ୍କ ଚୈାକି ଟଳମଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭୁଲ ମାଗିଥିଲେ ମଧ୍ୟ ଚୈାକି ଯେ ତାଙ୍କ ପାଇଁ ରହିବ ସେଥିରେ କିଛି ଗ୍ୟାରେଣ୍ଟି ନାହିଁ । ହୋଇପାରେ ତାଙ୍କର କଟ୍ଟର ବିରୋଧୀ ପାଇଲଟ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ସଚ୍ଚିନ ପାଇଲଟଙ୍କୁ ନଦେବାର ଭୁଲ ପାଇଁ ଏବେ ପଶ୍ଚାତାପ କରୁଛନ୍ତି ଅଶୋକ ଗେହଲୋଟ । କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ଏବେ ଅଶୋକ ଗେହଲୋଟଙ୍କ ଉପରେ ଖପ୍ପା । ଦଳର ସଭାପତି ପାଇଁ ମୁଖ୍ୟ ଦାବିଦାର ଥିବା ଗେହଲୋଟ ଏବେ ଆଉ କାହାର ବିଶ୍ବାସର ପାତ୍ର ହୋଇ ରହିନାହାଁନ୍ତି । ଦିଲ୍ଲୀରୁ ରାଜସ୍ଥାନ ଏବେ ତାଙ୍କର କଂଗ୍ରେସ ଦଳରେ ସେତେ ସମ୍ମାନ ନାହିଁ । ଏପରିକି ଅଧିକାଂଶ ବିଧାୟକ ମଧ୍ୟ ସଚ୍ଚିନ ପାଇଲଟଙ୍କ ଗୋଷ୍ଠୀ ସହ ସାମିଲ ହୋଇ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ ଦେବାକୁ ଘୋଷଣା କଲେଣି ।
ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଶୋକ ଗେହଲୋଟ ଯେତେବେଳେ ଗଣମାଧ୍ୟମ ଆଗରେ ପ୍ରକାଶ କଲେ ଯେ ସୋନିଆ ଗାନ୍ଧୀଙ୍କୁ ଭୁଲ ମାଗିଛନ୍ତି । ସେତେବେଳେ ସେ ଅସହାୟ ଲାଗୁଥିଲେ । ତାପରେ କହିଥିଲେ, ସେ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ଚାହୁଁନାହାଁନ୍ତି । ଏଥିରୁ ଏହା ହିଁ ବୁଝାପଡୁଛି ଯେ ସେ ଭୁଲ ମାଗି ନିଜର ମୁଖ୍ୟମନ୍ତ୍ରୀ ପଦବୀକୁ ବଂଚାଇବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ପଦବୀ କେତେଦିନ ରହୁଛି ତାହା ସୋନିଆ ଗାନ୍ଧୀଙ୍କ ଦୟା ଉପରେ ନିର୍ଭର କରେ । ସଚ୍ଚିନ ପାଇଲଟଙ୍କୁ ବିରୋଧ କରି ଗେହଲୋଟ ଯେଉଁ ରଣନୀତି କରିଥିଲେ ତାହା ବିଫଳ ହୋଇଛି । ରବିବାର ସୁଦ୍ଧା ଗେହଲୋଟ ସଭାପତି ରେସରେ ସମସ୍ତଙ୍କ ଆଗରେ ଥିଲେ । ହେଲେ ଦୁଇଦିନ ପରେ ଆଜି ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଲେ ସେ କହିଲେ ସେ ରେସରେ ନାହାଁନ୍ତି । ଅର୍ଥାତ ସେ ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ । ସେପଟେ ଗେହଲୋଟଙ୍କୁ ସୋନିଆ ଗାନ୍ଧୀ କ୍ଷମା କରିବେ କି ନାହିଁ ତାହା ଜଣାପଡିନାହିଁ ।
ପାଇଲଟଙ୍କୁ ବିରୋଧ କରିବାର ସୀମା ଲଂଘିବା ପରେ ଏବେ ଅଶୋକ ଗେହଲୋଟଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଛି । ରାଜସ୍ଥାନର ରାଜନୈତିକ ସଂକଟ କଂଗ୍ରେସ ପାଇଁ ବୁମେରାଂ ହୋଇଛି । ଏପରିକି ଏଥିପାଇଁ କଂଗ୍ରେସକୁ ସୋସିଆଲ ଗଣମାଧ୍ୟମରେ ବେଶ କଥା ଶୁଣିବାକୁ ପଡୁଛି । ରାଜସ୍ଥାନ ରାଜନୀତିର ଜାଦୁଗରଙ୍କ ଜାଦୁ ଫିକା ପଡିଯାଇଛି । ସଚ୍ଚିନ ପାଇଲଟଙ୍କୁ ରୋକିବା ପାଇଁ ସମସ୍ତ ଚେଷ୍ଟା ଖାଲି ବିଫଳ ହୋଇନାହିଁ । ବରଂ ନିଜ ହାତରୁ ଏବେ କ୍ଷମତା ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଯେଉଁ ବିଧାୟକମାନେ ଅଶୋକ ଗେହଲୋଟଙ୍କ ପିଛା ଛାଡୁନଥିଲେ ଏବେ ସେମାନେ ଗଣମାଧ୍ୟମ ଆଗରେ ଖୋଲାଖୋଲି କହୁଛନ୍ତି ଆମେ ପାଇଲଟଙ୍କୁ ନେତା ହିସାବରେ ଗ୍ରହଣ କରିବାରେ ସଂକୋଚ କରିବୁ ନାହିଁ । କେନ୍ଦ୍ରୀୟ ନେତାଙ୍କ କାରଣ ଦର୍ଶାଅ ନୋଟିସ ପରେ ଏବେ ରାଜସ୍ଥାନ ରାଜନୀତିରେ କଂଗ୍ରେସ ଭିତରେ ଭିତରେ କୁହୁଳିଛି । ମୁଖ୍ୟମନ୍ତ୍ରୀ ଯିଏ ବି ହେଉ ଦଳ ଭିତରେ ସେ ଆଉ ସଂପୂର୍ଣ୍ଣ ଗ୍ରହଣୀୟ ହୋଇନପାରନ୍ତି । କାରଣ ବିଧାୟକ ଦଳଙ୍କ ଭିତର ଫାଟ ବଢ଼ି ବଢ଼ିଚାଲିଛି । ଏହାର ଫାଇଦା କଂଗ୍ରେସକୁ ଯାଉଛି ନା ବିଜେପିକୁ ତାହା ସମୟ କହିବ ।
Comments are closed.