Latest Odisha News

BREAKING NEWS

ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହାମାରୀର ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ଏ ଦିଗରେ ବେସରକାରୀ ଚିକିତ୍ସାଳୟ ମାନଙ୍କ ସହିତ କର୍ପୋରେଟ୍‌ ସେକ୍ଟର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ PSU ମାନେ ଆଗେଇ ଆସିବା ଖୁସିର କଥା । ମହାମାରୀ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ । ତେଣୁ ସମସ୍ତେ ନିଜ ନିଜ ସ୍ତରରେ ମୁକାବିଲା କରିବା ପାଇଁ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ଦେବଗଡର ଏହି ୧୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲରେ ଶିଶୁ ଶଯ୍ୟା ସହିତ ୧୨ଟି ଆଇସିୟୁ, ୩୨ଟି ଏଚଡିୟୁ, ସ୍ବତନ୍ତ୍ର ଶିଶୁ ଓ୍ବାର୍ଡ ସହିତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାର ସୁବିଧା ରହିଛି । ଏହି ଡାକ୍ତରଖାନାରେ ସମସ୍ତ ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ରୋଗୀଙ୍କୁ ଖାଦ୍ୟ ବ୍ୟବସ୍ଥା ଦାୟିତ୍ବ ରାଜ୍ୟ ସରକାର ହାତକୁ ନେଇଛନ୍ତି । ପୂର୍ବରୁ ଦେବଗଡରେ ୧୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍‌ପିଟାଲ କାର୍ଯ୍ୟ କରୁଛି । ଏହାଦ୍ବାରା ଜିଲ୍ଲାରେ ବର୍ତ୍ତମାନ ଦୁଇଟି କୋଭିଡ ହସ୍‌ପିଟାଲ ପ୍ରତିଷ୍ଠିତ ହୋଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡର ଦ୍ବିତୀୟ ଲହର ଏପର୍ଯ୍ୟନ୍ତ ଶେଷ ନ ହୋଇଥିବା ବେଳେ, ତୃତୀୟ ଲହରର ସୂଚନା ଆସିଲାଣି । ଏହାର ମୁକାବିଲା ପାଇଁ ଆମର ପ୍ରସ୍ତୁତି ଜାରି ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ Liquid Medical Oxygenର ସୁବିଧା ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯାଇଛି । କୋଭିଡ ପରିଚାଳନାରେ ଆମର ନୀତି ହେଉଛି – ସବୁ ଜୀବନ ମୂଲ୍ୟବାନ । ଏହି ନୀତିରେ ରାଜ୍ୟ ସରକାର ଚିକିତ୍ସା, ଟେଷ୍ଟିଂ, ଖାଦ୍ୟ ଆଦି ସବୁ ବ୍ୟବସ୍ଥାର ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ଏହାଦ୍ବାରା ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ବାସ ମଜବୁତ ହୋଇଛି । ଉତ୍ତମ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁ ମହାମାରୀର ଅନିଶ୍ଚିତତାକୁ ଆମେ ଭଲ ଭାବରେ ମୁକାବିଲା କରିପାରିବୁ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଦେବଗଡର ଏହି ହସ୍‌ପିଟାଲ ସ୍ଥାପନରେ ବେଦାନ୍ତର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋଭିଡ ନିୟନ୍ତ୍ରଣରେ ଦେବଗଡ ଜିଲ୍ଲା ବହୁତ ଭଲ ପ୍ରଦର୍ଶନ କରିଥିବାରୁ ଜିଲ୍ଲାର ଜନସାଧାରଣ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମହାମାରୀ ବିରୋଧରେ ଟିକା ଆମକୁ ସୁରକ୍ଷା ଦେବ । କିନ୍ତୁ ସଂପୂର୍ଣ୍ଣ ସୁରକ୍ଷା ପାଇଁ କୋଭିଡର ସବୁ ନିୟମକୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସମସ୍ତଙ୍କ ପ୍ରଚେଷ୍ଟା ବଳରେ ଓଡ଼ିଶାରେ କୋଭିଡର ପ୍ରଭାବ କମିବାରେ ଲାଗିଛି । ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.