Latest Odisha News

BREAKING NEWS

ରାଜ୍ୟରେ କୋଭିଡ ନିୟମ କଡାକଡି ପାଳନ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ରହିଛି । ଏହାକୁ ନଜରରେ ରଖି ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଘରକୁ ଘର ବୁଲି ଚାଲିଥିବା ସର୍ଭେ କାର୍ଯ୍ୟକ୍ରମ ଦ୍ବାରା କୋଭିଡ ତଥା ଅନ୍ୟାନ୍ୟ ରୋଗୀଙ୍କୁ ଚିହ୍ନଟ ଏବଂ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇ ପାରୁଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ତୃତୀୟ ଲହରରେ ପ୍ରସ୍ତୁତି ସ୍ବରୂପ ଶିଶୁ ରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ତଥା ଡାକ୍ତରମାନଙ୍କର ଏ ସଂପର୍କିତ ତାଲିମକୁ ପ୍ରାଥମିକତା ଦେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଅକ୍ସିଜେନ ପ୍ଲାଣ୍ଟ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ ହୋଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶୀଘ୍ର ଟିକାକରଣ ଆଗାମୀ କିଛି ମାସ ପାଇଁ ଆମର ମୁଖ୍ୟ ଫୋକସ ହୋଇରହିବ । ବର୍ତ୍ତମାନ ଆମେ ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେଉଛୁ । ଟିକା କେନ୍ଦ୍ର ମାନଙ୍କରେ ବିଭିନ୍ନ ସୁବିଧାର ବିକାଶ ପାଇଁ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଭିଡ ଜାଗାକୁ ନ ଯିବା ଆଦି କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଥିଲେ ଯେ, ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳର ୧୭ଟି ଜିଲ୍ଲାରେ ଆଂଶିକ ଅନ୍‌ଲକ୍‌ ପରେ ମଧ୍ୟ କୋଭିଡ କେସ୍‌ରେ କୌଣସି ବୃଦ୍ଧି ହୋଇନାହିଁ । କିନ୍ତୁ ଉପକୂଳ ଓ ଉତ୍ତର ଓଡିଶାର ଅଭିବକ୍ତ ପୁରୀ, କଟକ, ବାଲେଶ୍ବର ଓ ମୟୁରଭଂଜ ଆଦି ଜିଲ୍ଲା ମାନଙ୍କରେ ସଂକ୍ରମଣ ହାର ଅଧିକ ଥିବାରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ ।

ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ, ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାରେ ସଂକ୍ରମଣ ହାର ଏକ ପ୍ରତିଶତରୁ ତଳେ ଥିବା ବେଳେ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୯ରୁ୧୫ ପ୍ରତିଶତ ରହୁଛି । ତେଣୁ ଏହା ଉପରେ ଅଧିକ ଫୋକସ କରାଯାଇଛି । ଲକ୍‌ଡାଉନ କଡାକଡି ସହିତ ମାଇକ୍ରେ କଣ୍ଟେନମେଣ୍ଟ ଜୋନ୍, ଟେଷ୍ଟିଂ ଆଦି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ଜୁଲାଇ ୧୫ ସୁଦ୍ଧା ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସୂଚନା ଦେଇଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର ।

Leave A Reply

Your email address will not be published.