Latest Odisha News

BREAKING NEWS

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡିଶା ମାଷ୍ଟର୍ସ ୨୦୨୫’; ଯୋଗଦେଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଅନୁଷ୍ଠିତ ହୋଇଯାଇଛି । ପ୍ରି କ୍ଵାଟର ରାଉଣ୍ଡର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ୩୯ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।

ତୃତୀୟ ଦିନର ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଖେଳାଳୀମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସଭାପତି ରାଜେଶ ପ୍ରଭାକର ପାଟିଲ, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମର କମିଶନର କିରଣ ଦୀପ କୌର ସୌହଟା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ ।

ତୃତୀୟ ଦିନରେ ଖେଳାଯାଇଥିବା ମହିଳା ସିଙ୍ଗଲ ପୁରୁଷ ସିଙ୍ଗଲ ବିଭାଗରେ ପ୍ରାୟତଃ ସିଡେଡ଼ ଖେଳାଳୀମାନେ ଉତ୍ତମ ଖେଳ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ରାଉଣ୍ଡକୁ ପହଞ୍ଚି ଯାଇଛନ୍ତି ।

ମହିଳା ବିଭାଗର ପ୍ରି କ୍ଵାଟର ରାଉଣ୍ଡରେ ଟପସିଡ଼ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା ଥାଇଲାଣ୍ଡ ଖେଳାଳୀ ତୀଦାପ୍ରନ କ୍ଳୀବାଇସୁନଙ୍କୁ ୨୧-୭, ୨୧-୧୪ରେ ପରାଜିତ କରି କ୍ଵାଟର ଫାଇନାଲରେ ପହଞ୍ଚିଛନ୍ତି । ମହିଳା କ୍ୱାର୍ଟରରେ ପହଞ୍ଚିଥିବା ଅନ୍ୟ ଖେଳାଳୀମାନେ ହେଲେ ତୃତୀୟ ସିଡ଼ ତନଭି ଶର୍ମା, ପଞ୍ଚମ ସିଡ଼ ଅନୁପମା ଉପାଧ୍ୟାୟ ଓ ଷଷ୍ଠ ସିଡ଼ ଅନମୋଲ ଖର୍ବ ।

ପୁରୁଷ ବିଭାଗ ସିଙ୍ଗଲରେ ମଧ୍ୟ ଟପସିଡ଼ ଥରୁନ ମାନେପଲ୍ଲୀ ନିଜ ଦେଶ ଖେଳାଳୀ ଗୋବିନ୍ଦ କ୍ରିଷ୍ଣାଙ୍କୁ ୨୧-୧୬, ୧୨-୨୧ ଓ ୨୧-୧୧ରେ ହରାଇ କ୍ୱାର୍ଟରରେ ପହଞ୍ଚିଛନ୍ତି । କ୍ୱାର୍ଟର ଫାଇନାଲରେ ପହଞ୍ଚି ଥିବା ଅନ୍ୟ ଖେଳାଳୀମାନେ ହେଲେ ଗତ ସିଜନର ସିଙ୍ଗଲ ଚାମ୍ପିୟନ ତଥା ଅଷ୍ଟମ ସିଡ଼ ସତୀଶ କୁମାର, ଦ୍ଵିତୀୟ ସିଡ଼ କିରଣ ଜର୍ଜ ଏବଂ ସପ୍ତମ ସିଡ଼ ଶଙ୍କର ସୁବ୍ରମଣିୟନ ।

ମହିଳା ଡବଲସ ବିଭାଗରେ ଅନୁଷ୍ଠିତ ପ୍ରି କ୍ୱାର୍ଟର ରାଉଣ୍ଡ ମ୍ୟାଚରେ ଟପସିଡ଼ ବୁଲଗେରିଆ ଯୋଡି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଇଣ୍ଡୋନେସିଆ ଯୋଡି ଭେଲିଶା କ୍ରିଷ୍ଟିନା ଓ ଅଗ୍ନିଆ ଶ୍ରୀରହୟୁଙ୍କୁ ୨୧-୧୯, ୨୧-୧୩ ପଏଣ୍ଟରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ମହିଳା ଡବଲସର କ୍ଵାଟରରେ ପହଞ୍ଚି ଥିବା ଅନ୍ୟ ଯୋଡିମାନେ ହେଲେ ଭାରତୀୟ ଯୋଡ଼ି ଅଶ୍ୱିନୀ ଭଟ୍ଟ ଓ ଶିଖା ଗୌତମ, ଷଷ୍ଠ ସିଡ଼ କବିପ୍ରିୟା ସେଲବମ ଓ ସିମରନ ସିଂଘି ଏବଂ ଅଷ୍ଟମ ସିଡ଼ ଇଣ୍ଡୋନେସିଆ ଯୋଡି ଶିତି ସରହ ଆଜହାର ଓ ଦିତ୍ୟା ରାମଧାନୀ ।

ବିଶ୍ୱ ବ୍ୟାଡ଼ମିଣ୍ଟନ ସଂଘ, ଭାରତୀୟ ବ୍ୟାଡ଼ମିଣ୍ଟନ ସଙ୍ଘ, ଓଡିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଙ୍ଘର ମିଳିତ ଆନୁକୂଲ୍ୟରେ ଚାଲିଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲର ସମସ୍ତ ମ୍ୟାଚ୍ ଆସନ୍ତା କାଲି ଡିସେମ୍ବର ୧୨ ତାରିଖ ଦିନ ଖେଳାଯିବ ।

Leave A Reply

Your email address will not be published.