Latest Odisha News

BREAKING NEWS

ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ହେବ ଅନ୍ତିମ ରଥ ସମନ୍ୱୟ ବୈଠକ

ପୁରୀ: ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ସହ ସ୍ନାନଯାତ୍ରାର ଭିଡିଓ ଫୁଟେଜ ଅନୁଧ୍ୟାନ ଓ ତ୍ରୁଟି ସମୀକ୍ଷା କରାଯାଇଥିଲା। ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ ଆଉ ଆଜି (ମଙ୍ଗଳବାର) ତୃତୀୟ ତଥା ଅନ୍ତିମ ରଥ ସମନ୍ୱୟ ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା  କରିବେ। ସେ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଉପସ୍ଥିତ ରହିବେ।

ଚଳିତବର୍ଷ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପ୍ରାୟ ୧୫ ରୁ ୧୭ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ଭକ୍ତଙ୍କ ସୁବିଧା, ସୁରକ୍ଷା, ଦର୍ଶନ ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ। ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସମେତ ମନ୍ତ୍ରୀ, ଜିଲ୍ଲାପାଳ,ଏସ୍‌ପି, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିବେ।

ସେପଟେ ରଥ ଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ରଥର ପ୍ରଭା ନିର୍ମାଣ ଶେଷ ପରେ ରୂପକାର ସେବକମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ରୂପକାର ସେବକମାନେ ରଥର ବାହ୍ୟ ଅଂଶରେ ଚିତ୍ରଣ କାର୍ଯ୍ୟ ଜାରି ରଖିଛନ୍ତି।

ଅନ୍ୟପଟେ ଓଷୁଅ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ଅନବସରର ନବମୀ ତିଥିରେ ବି ଶ୍ରୀଅଙ୍ଗରେ ଓଷୁଅ ଲାଗି କରାଯିବ। ବୁଧବାର ଦଶମୀ ତିଥିରେ ଚକା ଲାଗି ଓ ଦଶମୂଳ ମୋଦକ ଲାଗି କରାଯିବ। ଏହାପରେ ମହାବାହୁ ସଂପୂର୍ଣ୍ଣ ସୁସ୍ଥ ହେବେ। ଏପଟେ ରଥ ପ୍ରସ୍ତୁତ ସରିଥିବ। ନିର୍ଦ୍ଧାରିତ ସମୟରେ ମାମୁ ଘର ଯିବେ କାଳିଆ ସାଆନ୍ତ।

Comments are closed.