Latest Odisha News

BREAKING NEWS

ପୁରୀରେ ପତ୍ନୀଙ୍କ ସହ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଳୁଙ୍କୁ ଟଙ୍କ ତୋରାଣୀ ବାଣ୍ଟିଲେ…

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛି କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂରତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ତାଙ୍କ ଧର୍ମପତ୍ନୀ ରଥ ଟାଣିଛନ୍ତି ।

ତାଳଧ୍ୱଜ ରଥ ନିକଟକୁ ଯାଇ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟ ରଥ ଟାଣିଛନ୍ତି ।

ପବିତ୍ର ଘୋଷଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଯାଇ, ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନଙ୍କୁ ଟଙ୍କ ତୋରାଣି ବିତରଣ କରିଥିଲେ । ବଡ଼ଦାଣ୍ଡ ପାର୍ଶ୍ବରେ ଖୋଲାଯାଇଥିବା ଏକ ଷ୍ଟଲରେ ମୁଖ୍ୟମନ୍ତ୍ରୀ ଟଙ୍କ ତୋରାଣି ବାଣ୍ଟିଥିଲେ ।

ଏହାସହ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଂହ ଦ୍ଵାରଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ରଥଯାତ୍ରା ସ୍ବତନ୍ତ୍ର ସଂଖ୍ୟା ‘ଉତ୍କଳ ପ୍ରସଙ୍ଗ’ ଉନ୍ମୋଚନ କରିଥିଲେ ।

ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି । ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣନ୍ତୁ ଏହା ହିଁ ମୋର କାମନା ‌ବୋଲି କହିଛନ୍ତି ।

Comments are closed.