ଭୁବନେଶ୍ୱର: ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୬ତମ ପାଳି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବାହ୍ନ ୧୦ଟା ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୭ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।
ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ସକାଳେ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ୩୦ ଜଣ ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ।
ଜଟିଳ ରୋଗରେ ପୀଡ଼ିତ କେନ୍ଦୁଝର ଜିଲ୍ଲାର ପପୁନ ମହାରଣା, ଖୋର୍ଦ୍ଧା ଜିଲ୍ଲାର ପ୍ରିୟବ୍ରତ ପ୍ରଧାନ ଏବଂ କଟକ ଜିଲ୍ଲାର ଦୀପ୍ତିମୟୀ ଦାଶଙ୍କ ପାଇଁ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଜନାଭିମୁଖୀ କାର୍ଯ୍ୟକ୍ରମ ଯୋଗୁଁ ସାଧାରଣ ଲୋକଟିଏ ତା’ର ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛି । ସରକାରଙ୍କ ପକ୍ଷରୁ ମଧ୍ୟ ସବୁ ଅଭିଯୋଗକୁ ସମାନ ଗୁରୁତ୍ୱ ଦିଆଯାଇ ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୫ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୩,୩୫୮ଟି ଅଭିଯୋଗ ମଧ୍ୟରୁ ୧୨,୭୪୮ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୯୫ ପ୍ରତିଶତ ଅଟେ। ବକେୟା ଅଭିଯୋଗ ଗୁଡିକ ପ୍ରକ୍ରିୟା ମଧ୍ୟରେ ରହିଛି।
ସୂଚନାଯୋଗ୍ୟ ଯେ, ଅଭିଯୋଗ ଗୁଡିକ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଆସୁଛି। ଗୋଟିଏ ଗୋଟିଏ ଅଭିଯୋଗ ସହିତ ଅତି କମ୍ ରେ ଦୁଇ ତିନି ଜଣରୁ ଆରମ୍ଭ କରି ୧୦ ଜଣ ପର୍ଯ୍ୟନ୍ତ ରହୁଛନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଆଜି ସୁଦ୍ଧା ପ୍ରାୟ ୫୬ ହଜାରରୁ ଉର୍ଦ୍ଧ୍ୱ ଲୋକ ଜନ ଶୁଣାଣି ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଶୁଣାଇଛନ୍ତି। ଏଥି ସହିତ ଜନ ଶୁଣାଣି ପୋର୍ଟାଲ ଏବଂ ଡାକ ଇତ୍ୟାଦି ଯୋଗେ ଆସିଥିବା ୧,୪୯,୪୧୮ ଅଭିଯୋଗ ମଧ୍ୟରୁ ୧,୩୦,୮୪୫ ଅର୍ଥାତ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି।