Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ପାଳି ଅଭିଯୋଗ ଶୁଣାଣି: ୯୪ ପ୍ରତିଶତ ଅଭିଯୋଗର ହେଲା ସମାଧାନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଆଜି ଥିଲା ୧୭ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ସହିତ ୫ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।

ପ୍ରତ୍ୟେକ ଥର ପରି ମୁଖ୍ୟମନ୍ତ୍ରୀ ପ୍ରଥମେ ଆସି ପ୍ରକୋଷ୍ଠ ବାହାରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ଓ ଅଭିଯୋଗ ଶୁଣି ସମାଧାନ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୁଦାୟ ୩୨ ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରୁ ଜଟିଳ ରୋଗରେ ପିଡୀତ ଥିବା ଭଦ୍ରକ ଜିଲ୍ଲାର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଓ ଯାଜପୁର ଜିଲ୍ଲାର କାର୍ତ୍ତିକ ସି ଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଥିଲେ। ଏଥି ସହିତ ଚିକିତ୍ସା ଆବଶ୍ୟକ କରୁଥିବା ଅନ୍ୟ ଅଭିଯୋଗକାରୀଙ୍କ ଦରଖାସ୍ତ ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ସୁଦୂର ପାଟଣାଗଡରୁ ଆସିଥିବା ଉଭୟ କିଡନୀ ଓ ସ୍ନାୟୁଗତ ରୋଗରେ ପିଡୀତା ତିଳୋତ୍ତମା ପାଣ୍ଡେଙ୍କ ଯିବା ଆସିବା ଖର୍ଚ୍ଚ ସହିତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମସ୍ତ ଦିବ୍ୟାଙ୍ଗ ଓ ଜଟିଳ ରୋଗରେ ପିଡୀତ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସହୃଦୟତାର ସହିତ ସେମାନଙ୍କର ସମସ୍ୟା ଓ ଅଭିଯୋଗ ଶୁଣି ମୁଖ୍ୟମନ୍ତ୍ରୀ ଆଶୁ ସମାଧାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରକୋଷ୍ଠ ଭିତରେ ପଞ୍ଜୀକୃତ କରିଥିବା ଅନ୍ୟ ସମସ୍ତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୬ଟି ପାଳିସୁଦ୍ଧା ଗ୍ରହଣ କରାଯାଇଥିବା ୧୪,୦୫୪ଟି ଅଭିଯୋଗ ମଧ୍ୟରୁ ୧୩,୧୬୯ଟି ଅଭିଯୋଗର ସମାଧାନ କରାଯାଇଛି। ଯାହା ଶତକଡା ୯୪ ପ୍ରତିଶତ ଅଟେ। ବକେୟା ଅଭିଯୋଗ ଗୁଡିକ ପ୍ରକ୍ରିୟା ମଧ୍ୟରେ ରହିଛି। ଏହି ଅବସରରେ ଗଣମାଧ୍ୟମରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେଉଛି ଆମ ସରକାରଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଚଳିତ ନୂଆ ବର୍ଷରେ ପ୍ରଶାସନକୁ ଅଧିକ ଲୋକଭିମୁଖୀ କରିବା ପାଇଁ ଦିଆଯାଇଥିବା ୧୫ ଦଫା ନିର୍ଦ୍ଦେଶାବଳୀ ମଧ୍ୟରେ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି।

ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ, ତହସିଲ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ଜରିଆରେ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ ଦିଗରେ ଯତ୍ନବାନ ହେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟସ୍ତରରେ ନିୟମିତ ଅଭିଯୋଗ ଶୁଣାଣି ହେଉଥିବାରୁ ଜିଲ୍ଲାସ୍ତରରେ ମଧ୍ୟ ଏହାର ସୁଫଳ ପରିଲକ୍ଷିତ ହେଉଛି। ଏବେ ଜିଲ୍ଲାପାଳ ଓ ଏସ.ପି ମାନେ ନିୟମିତ ଭାବେ ଅଭିଯୋଗ ଶୁଣାଣି କରୁଛନ୍ତି। ଅଭିଯୋଗ ଶୁଣାଣି ବ୍ୟବସ୍ଥା ସାରା ରାଜ୍ୟରେ ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟାରେ ପରିଣତ ହୋଇଛି।

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

Leave A Reply

Your email address will not be published.