Latest Odisha News

BREAKING NEWS

ସାମୁହିକ ଦାୟିତ୍ୱ ନେଇ ସବୁ ଆହ୍ୱାନର ମୁକାବିଲା କରିପାରିଲେ ଆମେ ସଫଳ ହେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିରାଡମ୍ବର ଭାବେ ନୂଆ ବର୍ଷ ପାଳନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡ. ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀ ମାନଙ୍କ ଅଦିନିଆ ବର୍ଷା ଜନିତ ଫସଲ ହାନୀ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ବର୍ଷକୁ ନିରାଡମ୍ବର ଭାବେ ପାଳନ କରିଛନ୍ତି। ତେଣୁ, ଆଜି ଅଧିକାରୀ ଓ କର୍ମଚାରୀ ମାନେ ବିନା ଫୁଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଥିଲା।
ଏତତବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଲୋକସେବା ଭବନରେ ଉଚ୍ଚ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ଛଅ, ସାତ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି। ଅଧିକାରୀ ମାନଙ୍କ ସହଯୋଗରେ ବିଭିନ୍ନ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ କରାଯାଇଛି । ତେଣୁ ଓଡିଶା ଅନ୍ୟ ରାଜ୍ୟଠାରୁ ଯେପରି ଭଲ ପ୍ରଦର୍ଶନ କରିବ ସେ ଦିଗରେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସେ ଆହୁରି କହିଥିଲେ, ଆମ ପାଖରେ ଅନେକ ଆହ୍ୱାନ ଓ ସୁଯୋଗ ମଧ୍ୟ ରହିଛି । ସାମୁହିକ ଦାୟିତ୍ୱ ନେଇ ସବୁ ଆହ୍ୱାନର ମୁକାବିଲା କରିପାରିଲେ ସମସ୍ତ କାର୍ଯ୍ୟ ସଫଳତାର ସହ କରାଯାଇ ପାରିବ। ଓଡିଶାରେ ନ୍ୟାଭି ଦିବସ , ଡିଜିପି ସମ୍ମିଳନୀ ଆଦି ଭଳି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ପାଳନ ହୋଇଛି । ପ୍ରବାସୀ ଭାରତୀୟ ଦିବସ ପାଳନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
 ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.