Latest Odisha News

BREAKING NEWS

ଆଜି ସରୁଛି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ, ଦାୟିତ୍ବ ନେବେ ଆହୁଜା

ଭୁବନେଶ୍ବର: ଆଜି ସରୁଛି ଓଡିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ଏହା ପରେ ନୂଆ ଶାସନ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିବେ ମୋନଜ ଆହୁଜା । ମନୋଜ ଆହୁଜାଙ୍କୁ ରାଜ୍ୟର ନୂତନ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।

ତେବେ ୨୦୨୩ ମାର୍ଚ୍ଚ ୧ ରେ ଓଡିଶା ପ୍ରଶାସନର ମଙ୍ଗ ଧରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ୧୯୮୯ ବ୍ୟାଚ୍‌ର ଆଇଏଏସ ଅଫିସର ହେଉଛନ୍ତି ପ୍ରଦୀପ ଜେନା ।

୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ, ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ। ସେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଏବଂ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଆଇଟି ଓ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ମୁଖ୍ୟ ଶାସନ ସଚିବ ହେବା ପୂର୍ବରୁ ସେ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ଓ ଉନ୍ନୟନ କମିଶନର ଭାବରେ ଦାୟିତ୍ୱରେ ରହିଥିଲେ। ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍ ଓଡ଼ିଶା ଦାୟିତ୍ୱରେ ମଧ୍ୟ ନିଯୁକ୍ତ ହୋଇଥିଲେ।

ତେବେ ଗତବର୍ଷ ଡିସେମ୍ବର ୩୧ରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିଲା । ହେଲେ ଚଳିତ ନିର୍ବାଚନ କାରଣରୁ ତତ୍କାଳୀନ ରାଜ୍ୟ ସରକାର ତାଙ୍କ ଅବସର ଅବଧିକୁ ୬ ମାସ ବୃଦ୍ଧି କରି ପୁନଶ୍ଚ ୨୦୨୪ ଜାନୁଆରୀ ୧ରୁ ଜୁନ୍ ୩୦ ଯାଏଁ ବଢାଇଥିଲେ । ନୂଆ ସରକାର ଆସିବା ପରେ ତାଙ୍କୁ ଜୁନ୍ ୩୦ରୁ ଅବସର ନେବା ପାଇଁ ଅନୁମତି ଦିଆଯାଇଛି । ଯାହାପରେ ଆଜି ଅବସର ନେବେ ପ୍ରଦୀପ ।

ଅନ୍ୟ ପକ୍ଷରେ ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜାଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ବାଛିଛନ୍ତି ଓଡିଶା ସରକାର । ଏଥିପାଇଁ ରବିବାର ଭୁବନେଶ୍ବରରେ ପହଞ୍ଚିଛନ୍ତି ଆହୁଜା । ଆଜି ଭୁବନେଶ୍ବରରେ ରହି ଆସନ୍ତାକାଲି ଅର୍ଥାତ୍ ସୋମବାର ଓଡିଶାର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିବେ ଆହୁଜା । ଏବେ ସେ କେନ୍ଦ୍ର ସରକାରରେ କୃଷି ସଚିବ ଏବଂ ଚାଷୀ କଲ୍ୟାଣ ସଚିବ ଭାବେ କାମ କରୁଥିଲେ।

ମନୋଜ ଆହୁଜା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର। ସେ ପଟିଆଲାସ୍ଥିତ ଥାପର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ଡିଗ୍ରୀ, ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏମବିଏ ଏବଂ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନ (ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ)ରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି । ଅନେକ ପ୍ରଶିକ୍ଷଣ ମଡ୍ୟୁଲ ଏବଂ ଗବେଷଣା ପତ୍ର ତାଙ୍କ ନାମରେ ଅଛି, ତାଙ୍କୁ ଏକ ବ୍ୟାପକ ଅଭିଜ୍ଞତା ଏବଂ ବୃତ୍ତିଗତତାର ଶ୍ରେୟ ଦିଆଯାଏ।

ମନୋଜ ଆହୁଜା ଯୁଗ୍ମ ନିର୍ଦ୍ଦେଶକ (କାର୍ମିକ ପ୍ରଶିକ୍ଷଣ/ କାର୍ମିକ ଓ ସାଧାରଣ ପ୍ରଶାସନ), କମିଶନର ଓ ସଚିବ (ଇସ୍ପାତ ଓ ଖଣି, କ୍ରୀଡ଼ା ଓ ଯୁବ ସେବା) ଭଳି ଅନେକ ବିଭାଗର ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନର ନିଯୁକ୍ତି ପୂର୍ବରୁ ସେ ଭାରତ ସରକାରଙ୍କ ସଚିବ ପାହ୍ୟାରେ ଶିକ୍ଷା ମନ୍ତ୍ରଣାଳୟର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ଓଡିଶାରେ ପୂର୍ବରୁ ସେ ବିଭିନ୍ନ ବିଭାଗର ସଚିବ ଏବଂ କମିଶନର ମଧ୍ୟ ଥିଲେ। ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ।

ଆଉ ଆଜି ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ ଅବସର ଗ୍ରହଣ କରିବା ପରେ ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ମୁଖ୍ୟ ଶାସନ ସଚିବ ସହିତ ମନୋଜ ଆହୁଜା ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି)ର ସଚିବ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିବେ ।

Leave A Reply

Your email address will not be published.