ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଲୋକପ୍ରିୟତା ପାଉଛି ବିଡିଏର ଟାଉନ୍ ପ୍ଲାନିଂ ସ୍କିମ୍ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ବୈଠକରେ ବିଡିଏର ଉପାଧ୍ୟକ୍ଷ ସଂଜୟ କୁମାର ସିଂ ଟାଉନ୍ ପ୍ଲାନିଂ ସ୍କିମ୍ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଉପରେ ଆଲୋଚନା କରିଛନ୍ତି ।
ସ୍କିମର ଅଗ୍ରଗତି ସମୀକ୍ଷା କରି ପ୍ରତି ଟାଉନ୍ ପ୍ଲାନିଂ ଅଞ୍ଚଳରେ ଗମନାଗମନ, ପାନୀୟଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ପାଇଁ ଉତ୍ତମ ଭିତ୍ତିଭୂମି ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗ ଓ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ସ୍କିମ୍ ଅଞ୍ଚଳରେ ମୁଖ୍ୟ ରାସ୍ତା ଗୁଡ଼ିକୁ ପୁର୍ତ୍ତ ବିଭାଗ ଏବଂ ଭିତର ରାସ୍ତାଗୁଡ଼ିକୁ ବିଡିଏ ନିର୍ମାଣ କରିବ । ଜଳ ଯୋଗାଣ ଏବଂ ନର୍ଦ୍ଦମା ପରିଚାଳନା ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ୍ୱାଟକୋକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍କିମ୍ ଅଞ୍ଚଳଙ୍କ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ସବିଶେଷ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଟାଟା ପାଓ୍ୱାର କେନ୍ଦ୍ରୀୟ ବିତରଣ କଂପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ବିଡିଏ ଉପାଧ୍ୟକ୍ଷ କହିଥିଲେ ଯେ, ଭୁବନେଶ୍ବରର ବିକାଶକୁ ଦୃଷ୍ଟିରେ ରଖି ୪୫ଟି ଟାଉନ୍ ପ୍ଲାନିଂ ସ୍କିମ୍ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ସ୍କିମ୍ ଆରମ୍ଭ ହୋଇଛି । ଏହାସହ ଅନ୍ୟ ୯ଟି ସ୍କିମର ପ୍ରାରମ୍ଭିକ ପ୍ରସ୍ତୁତି କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି । ସ୍କିମ୍ ନମ୍ବର-୧,୨,୩, ଏବଂ ୪ରେ ଜାଗା ସର୍ଭେ, ଜମି ଏକତ୍ରୀକରଣ, ସଂଶୋଧିତ ଜମି ପଟ୍ଟା ପ୍ରସ୍ତୁତି ଏବଂ ବଣ୍ଟନ କାର୍ଯ୍ୟ ଚାଲିଛି । ଆସନ୍ତା ୧ ରୁ ୨ ମାସ ମଧ୍ୟରେ ସମସ୍ତ ସଂଶୋଧିତ ପଟ୍ଟା ଯୋଗାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଟାଉନ୍ ପ୍ଲାନିଂ ସ୍କିମ୍-୧ ସହଜପୁର, ନାରୋଗଦା, ସିଜୁପୁଟ ଏବଂ ପାଇକରାପୁର ମୌଜାରେ କରାଯାଉଛି । ସେହିପରି ସ୍କିମ୍-୨ ତମାଣ୍ଡୋ ଏବଂ ବିଜିପୁର ମୌଜା, ସ୍କିମ୍-୩ ନୂଆଗାଁ ଓ ପାଇକରାପୁର, ଏବଂ ସ୍କିମ୍-୪ ଶ୍ୟାମସୁନ୍ଦରପୁର ମୌଜାରେ କରାଯାଉଛି । ଏହି ୪ଟି ସ୍କିମ୍ ମୋଟ ୧୬୦୦ ଏକର ଜମି ଉପରେ କରାଯାଉଛି । ଏ ସବୁରେ ପ୍ରାୟ ୧.୫୦ ଲକ୍ଷରୁ ଅଧିକ ଲୋକ ବସବାସ କରିପାରିବେ । ଏହି ୪ଟି ସ୍କିମର ବିକାଶ ପାଇଁ ପ୍ରାୟ ୭୪୯ କୋଟି ଟଙ୍କାର ବିନିଯୋଗ କରାଯିବ ।
Comments are closed.