ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ତ୍ବରାନ୍ବିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ସମୀକ୍ଷା କରାଯାଇଛି । ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ ଏବଂ ସେଠାରେ ଥିବା ଗୋପବନ୍ଧୁଙ୍କ ଜନ୍ମପୀଠର ସାମଗ୍ରିକ ବିକାଶ ପ୍ରକଳ୍ପ ସମ୍ୱନ୍ଧିତ ତଥ୍ୟ ଉପସ୍ଥାପନ କରିଥିଲେ ।
ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ସେସବୁର ପୂର୍ଣ୍ଣାଙ୍ଗ ପାଇଁ ମୁଖ୍ୟ ଶାସନ ସଚିବ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଥିଲେ । ମୋଟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି । ଗୋପବନ୍ଧୁଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ପାର୍କିଂ ଆଦିର ବିକାଶ ପାଇଁ କ୍ଷେତ୍ରସ୍ତରୀୟ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଏହା ସହ ସେଠାରେ ଗୋପବନ୍ଧୁ ସ୍ମୃତି ସଂଗ୍ରହାଳୟ, ସୂଚନା କେନ୍ଦ୍ର ଏବଂ ଆତିଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି । ଶିବ ମନ୍ଦିରର ମୂଳଦୁଆ ସଂରକ୍ଷଣ ପିଷ୍ଟର ବିକାଶ, ଦଧି ନଉତି, ମନ୍ଦିର ପରିକ୍ରମା ରାସ୍ତା ଆଦି କାର୍ଯ୍ୟ ବିଶେଷ ଭାବେ ଅଗ୍ରଗତି ହୋଇଛି । ପ୍ରଥମ ପୋଖରୀର ପୁନଃ ଖନନ, ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ସଂଗ୍ରହାଳୟର ଘର ନିର୍ମାଣ ସରିଥିବା ବେଳେ, ବିଦ୍ୟୁତକରଣ ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁ ରହିଛି । ସେହିପରି ଆତିଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ କାମ ମଧ୍ୟ ଜାରି ରହିଛି ।
ଗୋପବନ୍ଧୁ ଦାସଙ୍କ ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି, ପୈତୃକ ଗୃହର ପୁନଃ- ବିକାଶ ଆଦି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ପଥର ଯୋଗାଣ ଜାରି ରଖିବା ପାଇଁ ଓଡ଼ିଶା ଖଣି ନିଗମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା ହୋଇଛି । ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ମୋଟ୍ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି ।
ସେହିପରି ସାକ୍ଷୀଗୋପାଳ ମନ୍ଦିରର ଆବଶ୍ୟକୀୟ ମରାମତି ଏବଂ ସୌନ୍ଦର୍ଯ୍ୟକରଣ କାମ ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁଆଣ୍ଡୋ, ସତ୍ୟବାଦୀ, ଓଡ଼ିଆ ବିଶ୍ବବିଦ୍ୟାଳୟ ଏବଂ ସାକ୍ଷୀଗୋପାଳକୁ ଓଡ଼ିଆ ଭାଷା-ସଂସ୍କୃତିର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବାକୁ ସମସ୍ତ ପଦକ୍ଷେପ ନେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
Comments are closed.