Latest Odisha News

BREAKING NEWS

ଚିକିଟି ମଦ ମୃତ୍ୟୁ ମାମଲା: ଅଭିଯୁକ୍ତଙ୍କ ବିରୁଦ୍ଧରେ ବଡ ଖୁଲାସା, ଆଖି ବୁଜି ଦେଇଥିଲା ପ୍ରଶାସନ

ଗଞ୍ଜାମ: ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଏଯାବତ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ଏନେଇ ଗଞ୍ଜାମ ଜିଲ୍ଲାରେ ଚଢାଉ କରି ୬ ଜଣଙ୍କୁ ଗିରଫ ସମେତ ପ୍ରାୟ ୩୫୦ ଲିଟର ମଦ ଜବତ କରିଛି ପୋଲିସ୍ ।

ସେପଟେ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ମଲ୍ଲିକକୁ ନେଇ ବଡ ଖୁଲାସା କରିଛି ଅବକାରୀ ବିଭାଗ । ଇଏ ପ୍ରଥମ ଥର ନୁହେଁ ପୂର୍ବରୁ ବେଆଇନ ମଦ କାରବାରରେ ୫ ଥର ଗିରଫ ହୋଇଛି ସୁରେନ୍ଦ୍ର । ଖାଲି ସେତିକି ନୁହେଁ ଗଞ୍ଜାମର ପାତ୍ରପୁର ଓ ଦିଗପହଣ୍ଡି ଏମିତିକି ନୟାଗଡ ଜିଲ୍ଲାରେ ମଧ୍ୟ ଗତ ୪ ବର୍ଷ ହେଲା ନିଜର କାରବାର ଚଳାଇ ଆସୁଥିଲା ସୁରେନ୍ଦ୍ର ।

ଏଥିସହିତ ବେଆଇନ କାରବାର ପାଇଁ ସେ ଅନେକ ଥର ଜେଲ ମଧ୍ୟ ଯାଇଛି । ହେଲେ ପ୍ରତି ଥର ପ୍ରଶାସନ, ପୁଲିସ୍‌ ତଥା ଅବକାରୀ ବିଭାଗର ନାକ ତଳେ ଖସି ପୁଣି ତାର କାରବାର ଚଳାଇ ଆସୁଥିଲା । ଆଉ ଏ ସବୁ ଉପରେ ଯେପରି ଆଖି ବୁଜି ଦେଇଥିଲା ପ୍ରଶାସନ । କାରଣ ପ୍ରତି ଥର ଏହି ଘଟଣାରେ ଗିରଫ ହୋଇ ପୁଣି ବାହାରକୁ ଆସିଯାଉଥିଲା ସୁରେନ୍ଦ୍ର । କାରଣ କେଉଁଥର ବି ସ୍ଥିତି ଏତେ ଗମ୍ଭୀର ହୋଇନଥିଲା । ଏଥର ଏହି ଘଟଣାରେ ପ୍ରାୟ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ଏଥିରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ଏହି ପ୍ରସଙ୍ଗକୁ ଜୋର ତେଜିଥିଲା ।

ତେବେ ଏନେଇ  ଅବକାରୀ ବିଭାଗର ସୂଚନା ଅନୁଯାୟୀ, ବିଷାକ୍ତ ମଦର ସାମ୍ପଲ ପରୀକ୍ଷଣ ପାଇଁ ଦିଆସରିଛି । ଏଥିରେ ପେଷ୍ଟିସାଇଡ, ବାଟେରୀ ପାଉଡର କିଛି ଅପଦ୍ରବ ମିଶିଥିବା ସନ୍ଦେହ କରାଯାଉଥିଲା ବେଳେ ଏନେଇ ସ୍ପଷ୍ଟ ସୂଚନା ଟେଷ୍ଟ ପରେ ଜଣାପଡିବ  ।

ଅନ୍ୟପକ୍ଷରେ ଏହି ଘଟଣା ପରେ ଅବକାରୀ ବିଭାଗ ବିକ୍ରି ମଦର ଗୁଣାବତ୍ତା ପରଖିବା ପାଇଁ ଗତ ମଙ୍ଗଳବାର ଠାରୁ ରାଜ୍ୟବ୍ୟାପୀ ୭ ଦିନିଆ ଚଢାଉ ଜାରି କରିଛି । ଏଯାବତ ଏଥିରେ ୨୦୩ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ୧୧୭ ଜଣଙ୍କୁ ଗିରଫ କରିଛି ପୋଲିସ୍ ତଥା ଅବକାରୀ ବିଭାଗ । ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦ ହଜାର ୩୮୦ ଲିଟର ମଦ ଜବତ କରିଛି ।

ତେବେ ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁରେ ଏବେବି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୧୪ ଜଣ ବ୍ୟକ୍ତି । ସେମାନଙ୍କ ମଧ୍ୟରୁ ବୁଧବାର ଚିକିତ୍ସିତ ଅବସ୍ଥାରେ ୨ ଜଣଙ୍କର ଜୀବନ ଯାଇଛି ।

Comments are closed.