Latest Odisha News

BREAKING NEWS

୪ ମହଲା ବାଲକୋନିରୁ ଖସିପଡିଲା କୁନିଝିଅ; ପଡିଲା ତଳେ ବସିଥିବା ପଡାେଶୀଙ୍କ କୋଳରେ

ମୁମ୍ବାଇ:ଆଶ୍ଚର୍ଯ୍ୟ ଘଟଣା । ଶୁଣିଲେ ବିଶ୍ୱାସ ହେବନି । ବାରମ୍ବାର ଗୋଟିଏ ପ୍ରଶ୍ନ ଆସିବ ମନକୁ ।  ସତରେ କାହାଣୀ, ଫିଲ୍ମରେ ପଢିଥିବା, ଦେଖିଥିବା ଘଟଣା ଏମିତି ବି ସତ ହୁଏ ! ସତରେ କ’ଣ ଏହା ଭଗବାନଙ୍କ ଲୀଳା  ? ୪ ମହଲା କୋଠାରୁ ଖସିପଡିଲା ଶିଶୁଟିଏ । ହୁଏତ ଦେଖୁଥିବା ଲୋକଙ୍କ ଆଖି ବନ୍ଦ କରିଦେଇଥିବେ । ସବୁଆଶା ଛାଡି ଦେଇଥିବେ । ହେଲେ ଆଖି ଖୋଲିବାବେଳକୁ ଆଚମ୍ବିତ କରିଦେବା ପରି ଘଟଣା । ୪ ମହଲାରୁ ଖସି ପଡିଥିବା ଶିଶୁଟି ଆଉ କାହା କୋଳରେ ବସିଛି ଆଉ କାନ୍ଦୁଛି । ହେଲେ କଥାଟା ବାସ୍ତବ ଏବଂ ଘଟିଛି ମହାରାଷ୍ଟ୍ରର ଭିରାରରେ ।

ପୁରା ଘଟଣାଟି ଥିଲା ଏମିତି । ଭିରାରରେ ଏକ ଅଟ୍ଟାଳିକା ଜିଭଦାନୀ ଦର୍ଶନର ମରାମତି କାମ ଚାଲିଥିଲା । କରିଡରରେ ଲାଗିଥିବା ଲୁହାରଡ କଢାଯାଇଥିଲା  । ସେଠାରେ ସବୁଜ ରଙ୍ଗର କପଡ଼ା ଘେରାଯାଇଥିଲା। ଗତକାଲି ରାତି ପ୍ରାୟ ୯ଟା ସମୟର ଘଟଣା ।  ଦେବଶୀ ସାହାଣୀ ନାମକ  ୪ ବର୍ଷର କୁନି ଝିଅଟିଏ ।    ଘରୁ ବାହାରି ବାଡ଼ା କଢ଼ାଯାଇଥିବା ବାଲ୍‌କୋନିରେ ବୁଲୁଥିଲା । ହଠାତ  ତା’ର ଗୋଡ଼ ଖସିଯାଇଥିଲା ଏବଂ  ଘେରାଯାଇଥିବା ସବୁଜ କପଡ଼ା ଫାଙ୍କରେ ତଳକୁ ଖସି ପଡିଥିଲା ।

ହେଲେ ଭଗବାନଙ୍କ ଦୟା !  ତଳ ତାଲାର (ଗ୍ରାଉଣ୍ଡ୍‌ ଫ୍ଲୋର୍‌) ବାହାରେ ବସିଥିଲେ ୨୮ ବର୍ଷିୟ ଶିବକୁମାର ଜୟସୱାଲ୍‌। ସଂଯୋଗ ବଶତଃ ଝିଅଟି ସିଧା ଆସି ତାଙ୍କ କୋଳରେ ପଡ଼ିଲା। ପ୍ରଥମେ ତ ସେଠାରେ ଉପସ୍ଥିତ ଲୋକେ ଭାବିଥିଲେ କିଛି ନିର୍ମାଣ ସାମଗ୍ରୀ କିମ୍ବା କୋଠାର କିଛି ଅଂଶ ଭାଙ୍ଗି ଖସିପଡିଲା ।  ହେଲେ ଯେତେବେଳେ ଝିଅଟକୁ ଶିବକୁମାରଙ୍କ କୋଳରେ ଦେଖିଲେ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କ ବାପା-ମା’ଙ୍କୁ ଖବର ଦେଇ ପିଲାଟିକୁ ଡାକ୍ତରଖାନା ନେଇଥିଲେ । ଦେବଶୀର ମୁଣ୍ଡରେ କିଛି ଆଘାତ ଲାଗିଥିଲା । ୮ଟି ଷ୍ଟିଚ ପଡିଛି । ତେବେ ଶିବକୁମାର ମଧ୍ୟ ଏହି ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ।

ଯାହା ବି ହେଉ, ଏପରି ଅବ୍ୟବସ୍ଥା ପାଇଁ  ଉକ୍ତ ଅଟାଳିକାର ନିର୍ମାତା ଓ ଠିକାଦାରଙ୍କ ନାଁରେ ବିରାର ଥାନାରେ ଅବହେଳା ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.