ପିଲାମାନେ ତମେ ମାନେ ଭୁବନେଶ୍ୱରରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଦେଖିଥିବ । କିନ୍ତୁ ଏହି ପ୍ଲାନେଟାରିୟମ ଯେଉଁ ପଠାଣି ସାମନ୍ତଙ୍କ ନାଁରେ ହୋଇଛି ତାଙ୍କ ବିଷୟରେ କିଛି ଜାଣିଛ ।
ପଠାଣି ସାମନ୍ତ ପିଲାଟି ଦିନରୁ ବେଶ୍ ବିଚକ୍ଷଣ ଥିଲେ । ଖଣ୍ଡେ ବାଉଁଶ ନଳୀ ସାହାଯ୍ୟରେ ସେ ଗ୍ରହ ନକ୍ଷତ୍ରଙ୍କ ଗତିବିଧିକୁ ଅନୁଧ୍ୟାନ କରୁଥିଲେ । ପିଲାଟି ଦିନରୁ ସେ ଖୁବ୍ ରୁଗଣ୍ ଥିଲେ । କଳା କଟକଟ ଦେହ । ମୁଣ୍ଡ ବଡ ସାଙ୍ଗକୁ ହାତ ଗୋଡ ସରୁଆ ସରୁଆ ଥିଲା । ଦେହ ସିନା ଦୁର୍ବଳ ଥିଲା କିନ୍ତୁ ସବୁ କଥା ଜାଣିବାର ଆଗ୍ରହ ଥିଲା ତାଙ୍କ ପାଖରେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ପ୍ରଚଣ୍ଡ ଜ୍ଞାନ ସମ୍ପର୍କରେ ପିଲାଟି ବେଳରୁ ହିଁ ଜଣାପଡିଥିଲା ।
ସାଙ୍ଗମାନଙ୍କ ସହ ଖେଳିବା ବେଳେ ଛାଇ ଘୁଞ୍ଚିବାକୁ ଅନୁମାନ କରି ସେ ଛାଇର ଦୈର୍ଘ୍ୟ ମାପୁଥିଲେ । ସେତେବେଳେ ଘଣ୍ଟା ନ ଥିବାରୁ ସାଧାରଣତଃ ଦିନରେ ସୂର୍ଯ୍ୟଙ୍କ ଗତି ଓ ରାତିରେ ତାରାମାନଙ୍କ ଗତି ଦେଖି ସମୟ ଅନୁମାନ କରାଯାଉଥିଲା । ପଠାଣି ସାମନ୍ତ ଏଥିରେ ପିଲାଟି ବେଳରୁ ହିଁ ଧୁରନ୍ଧର ଥିଲେ ।
ସାରା ଦିନ ଗଛମାନଙ୍କର ଛାଇମାପିବା ଥିଲା ତାଙ୍କର ଅଜବ ସଉକ । ସକାଳେ ଗଛର ଛାଇ କେତେଦୂର ଯାଏ, ମଧ୍ୟାହ୍ନରେ କେଉଁଠି ଥାଏ, ଉପରବେଳା କେତେ ପର୍ଯ୍ୟନ୍ତ ଗତି କରେ ତାହା ସେ ତାଳପତ୍ରରେ ଟିପି ରଖୁଥିଲେ । ମାତ୍ର ନଅ ବର୍ଷ ବୟସରେ ସେ ନକ୍ଷତ୍ର ପରିଚୟ କରିବାକୁ ଆରମ୍ଭ କଲେ ।
ପିଲାଟି ବେଳରୁ ପଠାଣି ସାମନ୍ତଙ୍କର ଜ୍ୟୋତିଷ ଶାସ୍ତ୍ର ଓ କାବ୍ୟ କବିତା ପ୍ରତି ବେଶ୍ ଆଗ୍ରହ ଥିଲା । ସବୁ କଥା ସେ ତାଳପତ୍ରରୁ ହିଁ ପଢୁଥିଲେ । ଜ୍ୟେତିଶ୍ଚକ୍ର ପ୍ରତି ସେ ବିଶେଷ ଆକର୍ଷିତ ହୋଇଥିଲେ । ନକ୍ଷତ୍ର ଜଗତର ବିଚିତ୍ରତା ଓ ଏହାର ରହସ୍ୟ ଭେଦ କରିବା ଲାଗି ସେ ସବୁବେଳେ ଆକାଶ ଭିତରେ ମଜ୍ଜି ରହୁଥିଲେ । ଏଥି ପାଇଁ ସେ ଖିଆପିଆ ବି ଭୁଲି ଯାଉଥିଲେ । କେବଳ ଗୋଟିଏ ବାଉଁଶ ନଳୀ ଓ ଦୁଇ ଖଣ୍ଡ କାଠି ସାହାଯ୍ୟରେ ସେ ଗ୍ରହ ନକ୍ଷତ୍ର ସମ୍ପର୍କରେ ଅନେକ କଥା ଆବିଷ୍କାର କରିପାରୁଥିଲେ । ଆଉ ଏସବୁକୁ ସେ ନେଇ ଲେଖିଥିଲେ ‘ସିଦ୍ଧାନ୍ତ ଦର୍ପଣ’ ।
ପଠାଣି ସାମନ୍ତ ଓ ତାଙ୍କ ସିଦ୍ଧାନ୍ତ ଦର୍ପଣ ଓଡିଶାକୁ ଏକ ନୂଆ ପରିଚୟ ଦେଇପାରିଥିଲା ।
Comments are closed.