Latest Odisha News

BREAKING NEWS

ବିଗିଡିଛି ଭାରତ-ଚୀନ ସଂପର୍କ, ଭାରତରେ ରାଷ୍ଟ୍ରଦୂତ ପଦ ପୂରଣ କରୁନି ଚୀନ

ନୂଆଦିଲ୍ଲୀ: ଭାରତରେ ଖାଲି ପଡିଛି ଚୀନ ରାଷ୍ଟ୍ରଦୂତ ପଦ। ବର୍ଷେରୁ ଅଧିକ ସମୟ ଧରି ପଦବୀ ଖାଲି ପଡିଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ଦେଉନି ଚୀନ। ପ୍ରାୟ ୧୫ମାସ ବିତି ଯାଇଥିଲେ ସୁଦ୍ଧା ଏଯାଏ ରାଷ୍ଟ୍ରଦୂତ ନିଯୁକ୍ତିର ନାଁ ଧରୁନି ଚୀନ। ଦିଲ୍ଲୀରେ ଚୀନ୍‌ର ଶେଷ ରାଷ୍ଟ୍ରଦୂତ ସନ୍ ୱିଡୋଙ୍ଗ ତିନି ବର୍ଷ କାର୍ଯ୍ୟ କରିବା ପରେ ୨୦୨୨ ଅକ୍ଟୋବର ମାସରେ ବିଦାୟ ନେଇଥିଲେ। ଏହାପରେ ତାଙ୍କୁ ଚୀନର ଡେପୁଟି ବୈଦେଶିକ ମନ୍ତ୍ରୀ କରାଯାଇଥିଲା।

୨୦୨୦ମସିହାର ଗଲୱାନ ସଂଘର୍ଷରେ ପ୍ରାୟ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ଚୀନ ସୈନ୍ୟ ନିହତ ମଧ୍ୟ ହୋଇଥିଲେ। ଏହାରି ଭିତରେ ଭାରତ-ଚୀନ ସଂପର୍କ ଆହୁରି ବିଗିଡିବାରେ ଲାଗିଛି। ଦଶନ୍ଧି ପୁରୁଣା ସୀମା ବିବାଦ ନେଇ୧୯୬୨ ମସିହାରେ ହୋଇଥିବା ଯୁଦ୍ଧ ପରେ ବିଗତ ଆକ୍ରମଣ ପରେ ଆହୁରି ରକ୍ତମୁଖା ହୋଇପଡିଛି ଚୀନ। ତେବେ ରାଷ୍ଟ୍ରଦୂତ ନିଯୁକ୍ତି ନ କରିବା ଘଟଣା ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କୁହାଯାଉଛି। କୂଟନୈତିକ ସୂତ୍ରରୁ ପ୍ରକାଶ ଯେ ଏହି ପଦବୀ ପୂରଣ ପାଇଁ ସମୟ ଲାଗିବ। କାରଣ ବରିଷ୍ଠ ଓ ଅଭିଜ୍ଞ ଲୋକଙ୍କୁ ପ୍ରାଥମିକତା ଦିଆଯିବ।

ଉଭୟ ଚୀନ୍ ଏବଂ ଭାରତର ବୈଦେଶିକ ନୀତି ବିଶ୍ଳେଷକମାନଙ୍କ ମତରେ ଏହା ଏକ ଉପ-ମନ୍ତ୍ରୀସ୍ତରର କାର୍ଯ୍ୟ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦ, ତେଣୁ ସେମାନଙ୍କୁ ସଠିକ୍ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେବାର ଆବଶ୍ୟକତା ରହିଛି। ଏହା ଚୀନର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଭାରତ ବ୍ୟତୀତ ବର୍ତ୍ତମାନ ଦକ୍ଷିଣ ଏସିଆର ଅନ୍ୟ କୌଣସି ଦେଶରେ ଚୀନ୍ ରାଷ୍ଟ୍ରଦୂତ ପଦ ଖାଲି ନାହିଁ।

ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ର ଡିନ୍ ଶ୍ରୀକାନ୍ତ କୋଣ୍ଡାପାଲ୍ଲୀ କହିଛନ୍ତି, ବରିଷ୍ଠ ପ୍ରାର୍ଥୀଙ୍କ ଅଭାବ ନାହିଁ, କିନ୍ତୁ ଚୀନ୍ ପ୍ରତି ଭାରତର ମନୋଭାବ ବଦଳିଛି। ‘ଗଲୱାନ ଘଟଣା ଏବଂ ପରବର୍ତ୍ତୀ କାର୍ଯ୍ୟ ଦ୍ୱିପାକ୍ଷିକ ସମ୍ପର୍କକୁ ସମ୍ବେଦନଶୀଳ କରିଛି। ଏଭଳି ପରିସ୍ଥିତିରେ ନୂତନ ନିଯୁକ୍ତି ଏକ କଷ୍ଟସାଧ୍ୟ ବ୍ୟାପାର।

କୂଟନୈତିକ ସୂତ୍ର ଅନୁଯାୟୀ, ‘ଗତ ବର୍ଷ ଚୀନ୍ ସରକାର ଭାରତରେ ଏକ ନୂତନ ରାଷ୍ଟ୍ରଦୂତ ନିଯୁକ୍ତ କରିବାର ଥିଲା, କିନ୍ତୁ ଆଭ୍ୟନ୍ତରୀଣ ପରିବର୍ତ୍ତନ ମଧ୍ୟରେ ଏହି ନିଯୁକ୍ତି ଉପରେ ରୋକ ଲଗାଯାଇଥିଲା। ଏହି ସମୟ ମଧ୍ୟରେ କିନ୍ ଗ୍ୟାଙ୍ଗଙ୍କୁ ବୈଦେଶିକ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା ଏବଂ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ଲି ଶାଙ୍ଗଫୁଙ୍କୁ ହଟାଇ ଦିଆଯାଇଥିଲା ।

 

Leave A Reply

Your email address will not be published.