ନୂଆଦିଲ୍ଲୀ: ୫ବର୍ଷ ପରେ ପୁଣି ଫେରିବ କି କରୋନା ଭଳି ମହାମାରୀ? ଚୀନରେ ବଢିବାରେ ଲାଗିଛି ଶ୍ବାସଜନିତ ଅସୁସ୍ଥତା, ଭାରତରେ ବଢିଲା ଚିନ୍ତା। ୨୦୧୯ ଶେଷ ଆଡକୁ ଚୀନର ବୁହାନ ସହରର ବିଭିନ୍ନ ହସପିଟାଲର ଭିଡିଓ ସାମନାକୁ ଆସିଥିଲା । ନିଶ୍ବାସ ନେବାରେ ସମସ୍ୟା ତଥା କାଶ ପାଇଁ ହସପିଟାଲରେ ଭର୍ତ୍ତି ହେଉଥିଲେ ଲୋକେ । ଦେଖୁ ଦେଖୁ ସାରା ବିଶ୍ବକୁ ଏହା ବ୍ୟାପିଗଲା, ପରେ ଏହାର ନାଁ ଦିଆଗଲା କୋଭିଡ୍-୧୯ । ୫ବର୍ଷ ପରେ ପୁଣି ଚୀନରେ ସମାନ କାହାଣୀର ପୁନରାବୃତ୍ତି ହେବାକୁ ଯାଉଛି କି? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଚୀନର ଭିଡିଓ ଛନକା ବଢାଇଛି । କୁହାଯାଉଛି, ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ବା ଏଚଏମପିଭିର ପ୍ରକୋପରେ ଚୀନର ହସପିଟାଲରେ ପ୍ରବଳ ଭିଡ ଲାଗୁଥିବା କୁହାଯାଉଛି । ଏହା ସହ ଇନଫ୍ଲୁଏନଜା-ଏ, ମାଇକ୍ରୋପ୍ଲାଜମା ନିମୋନିଆ ଓ କୋଭିଡ୍-୧୯ରେ ବି ସଂକ୍ରମଣ ବଢୁଛି।
ସୋସିଆଲ୍ ମିଡିଆରେ ଡରାଉଛି ଭିଡିଓ
ସୋସିଆଲ ମିଡିଆରେ ଚୀନର ଏକ ଭିଡିଓ ଭାଇରାଲ୍ ହେଉଛି । ଯାହା କରୋନାର ଭୟାବହତାକୁ ପୁଣି ମନେ ପକାଇ ଦେଇଛି । ଭିଡିଓରେ ହସପିଟାଲରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଭିଡିଓ ପୋଷ୍ଟରେ ଚୀନର ହସପିଟାଲ ଇନଫ୍ଲୁଏନଜା-ଏ ଓ ଏଚଏମପିଭି ପ୍ରକୋପର ସାମନା କରୁଥିବା ଲେଖାଯାଇଛି । ତେବେ ଏନେଇ ସରକାରୀସ୍ତରରୁ ବିଧିବଦ୍ଧ ସୂଚନା ମିଳିନି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଚୀନ୍ ସ୍ବାସ୍ଥ୍ୟ ଅଧିକାରୀ ନୂଆ ମହାମାରୀ ନେଇ ସୂଚନା ଦେଇନାହାନ୍ତି । ଏପରିକି କୌଣସି ଜରୁରୀକାଳୀନ ଆଲର୍ଟ ବି ଜାରି କରାଯାଇନି । ଉତ୍ତର ଚୀନରେ ଏଚଏମପିଭି ଭାଇରସ ସଂକ୍ରମଣ ବଢୁଛି । ତେବେ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓ ଭଳି ସଂଗୀନ ସ୍ଥିତି ନେଇ କୌଣସି ସୂଚନା ମିଳିନି ।
ଏଚଏମପିଭି ଭାଇରସ କ’ଣ?
ସବୁ ବର୍ଗର ଲୋକଙ୍କୁ ସଂକ୍ରମଣ କରିପାରିବ ଏଚଏମପିଭି । ତେବେ ଛୋଟ ପିଲା, ବୟସ୍କ ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକଙ୍କଠାରେ ଏହା ସହଜରେ ବ୍ୟାପେ । ଭୂତାଣୁ ସଂକ୍ରମଣରେ ଥଣ୍ଡା ସର୍ଦ୍ଦି ଭଳି ଲକ୍ଷଣ ଦେଖାଯିବ । ସଂକ୍ରମିତଙ୍କ ଠାରେ କାଶ, ଜ୍ବର, ନାକ ବନ୍ଦ ହେବା ଭଳି ଲକ୍ଷଣ ଦେଖିବାକୁ ମିଳିବ । କେବଳ ସେତିକି ନୁହେଁ ନିମୋନିଆ ଓ ବ୍ରୋଙ୍କିଓଲାଇଟିସ୍ ଭଳି ଗମ୍ଭୀର ଶ୍ବାସଜନିତ ସମସ୍ୟା ବି ଦେଖା ଦେଇପାରେ । କରୋନା ଭଳି ସଂକ୍ରମିତ ହୁଏ ଏଚଏମପିଭି । ସଂକ୍ରମିତ ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ ବାହାରୁଥିବା ଡ୍ରପଲେଟରୁ ଭୂତାଣୁ ସଂକ୍ରମଣ ହୁଏ । ଏହା ସହ ହାତ ମିଳାଇବା କିମ୍ବା ଫୋନ୍, କିବୋର୍ଡ ଭଳି ସାମଗ୍ରୀ ଉପରେ ସଂକ୍ରମିତ ଡ୍ରପଲେଟ୍ ପଡିଥିଲେ ବି ସଂକ୍ରମଣ ହୋଇପାରେ । ବିଶେଷ କରି ୫ବର୍ଷରୁ କମ୍ ବୟସର ଶିଶୁ ଏହାଦ୍ବାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି । ୨୦ବର୍ଷ ଧରି ଭାଇରସ ଚିହ୍ନଟ ହୋଇଥିଲେ ଏପର୍ଯ୍ୟନ୍ତ ଏହାର ଟିକା କିମ୍ବା ପ୍ରଭାବଶାଳୀ ଔଷଧ ଆସିନି । ତେଣୁ ସଂକ୍ରମଣ ରୋକିବାକୁ ହାତ ବାରମ୍ବାର ଧୋଇବା ସହ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି ।
ଚୀନରେ ସଂକ୍ରମଣ ପଡୋଶୀ ଦେଶ ଆଲର୍ଟ
ଚୀନରେ ଏଚଏମପିଭିର ସଂକ୍ରମଣ ବଢିଥିବା ବେଳେ ଏହାର ପଡୋଶୀ ଦେଶଗୁଡିକ ସତର୍କ ରହିଛନ୍ତି । ଚୀନ ସୀମାରେ ଥିବା ବିଭିନ୍ନ ଦେଶ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ହଂକଂରେ ମଧ୍ୟ ସଂକ୍ରମଣ ମାମଲା ସାମନାକୁ ଆସିଛି । ଗୋଟିଏ ସପ୍ତାହରେ ଜାପାନରେ ଇନଫ୍ଲୁଏନଜାର ୯୪ହଜାରରୁ ଅଧିକ ମାମଲା ସାମନାକୁ ଆସିଛି । ତେଣୁ ଭାଇରସ ଯେଭଳି ଅଧିକ ନବ୍ୟାପେ ସେଦିଗରେ ଜାପାନ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ନଜର ରଖିଛନ୍ତି । ବିଶେଷ କରି ଶୀତ ଦିନେ ଶ୍ବାସଜନିତ ରୋଗ ବଢୁଥିବାରୁ ସେନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
Comments are closed.