Latest Odisha News

BREAKING NEWS

ଆମେରିକା Vs ଚୀନ୍…ବଢିଲା ଟ୍ରେଡ ଓ୍ବାର ଆଶଙ୍କା

ନୂଆଦିଲ୍ଲୀ: ଆମେରିକାର ଟାରିଫ୍, ଚୀନର ପାଲଟା ଟାରିଫ୍ । ଆମେରିକା ଲଗାଇଲା ୧୦୪ ପ୍ରତିଶତ ଶୁଳ୍କ । ବିଶ୍ବର ଦୁଇ ମହାଶକ୍ତି ମୁହାଁମୁହିଁ । ବଢିଲା ଟ୍ରେଡ୍ ଓ୍ବାର ଆଶଙ୍କା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ୧୦୪ପ୍ରତିଶତ ଟାରିଫ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ଟ୍ରେଡ୍ ଓ୍ବାର ଆଶଙ୍କା ବଢିଛି । ସେପଟେ ଆମେରିକାର ଏଭଳି ମନୋବୃତ୍ତି ସହ ଶେଷ ପର୍ଯ୍ୟନ୍ତ ଲଢିବାକୁ କହିଛି ଚୀନ୍ । ଆମେରିକାର ଏଭଳି ଟାରିଫ୍ ଛାଟ ବିରୋଧରେ ହାତ ମିଶାଇବାକୁ ଭାରତକୁ ଆହ୍ବାନ ଦେଇଛି ବେଜିଂ ।

କାହିଁକି ଆମେରିକା ଚୀନ୍ ମୁହାଁମୁହିଁ?

ପ୍ରଥମେ ଚୀନ ସାମଗ୍ରୀ ଉପରେ ୩୪ପ୍ରତିଶତ ଅତିରିକ୍ତ ଟାରିଫ ଲଗାଇଥିଲା ଆମେରିକା । ଜବାବରେ ବେଜିଂ ଆମେରିକା ଉତ୍ପାଦ ଉପରେ ୩୪ପ୍ରତିଶତ ପାଲଟା ଟାରିଫ ଲଗାଇଥିଲା । ଏହାପରେ ଟ୍ରମ୍ପ ଚୀନ୍ ଉପରେ ଆହୁରି ୫୦ପ୍ରତିଶତ ଟାରିଫ ଲଗାଇଛନ୍ତି, ଫଳରେ ଏବେ ଆମେରିକା ଚୀନ୍ ସାମଗ୍ରୀ ଉପରେ ୧୦୪ପ୍ରତିଶତ ଟାରିଫ ଚାର୍ଜ କରୁଛି । ଆମେରିକାର ଏଭଳି ପଦକ୍ଷେପକୁ ବ୍ଲାକମେଲିଂ କହିବା ସହ ଏହାର କଡା ନିନ୍ଦା କରିଛି ଚୀନ୍ । ଟ୍ରମ୍ପ ପ୍ରଶାସନ ଦ୍ବାରା ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ଯୁଦ୍ଧରେ ଶେଷ ପର୍ଯ୍ୟନ୍ତ ଲଢିବ ବୋଲି ଚୀନ୍ କହିଛି ।

ଜାରି ରହିବ ଚୀନର ଆର୍ଥିକ ବିକାଶ

ଚୀନ୍ ଯେକୌଣସି ଅନିଶ୍ଚିତତାର ସାମନା କରିବାକୁ ପ୍ରସ୍ତୁତ । ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଓ୍ବାନ ଡେର ଲେୟେନଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି ଚୀନ୍ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ । ଟ୍ରମ୍ପଙ୍କ ଦ୍ବାରା ଅତିରିକ୍ତ ୫୦ପ୍ରତିଶତ ଅତିରିକ୍ତ ଟାରିଫ ଲାଗୁ କରିବା ସତ୍ବେ ଚୀନର ଆର୍ଥିକ ବିକାଶ ଜାରି ରହିବ। ଚଳିତ ବର୍ଷ ଦେଶର ଆର୍ଥିକ ନୀତି ପ୍ରସ୍ତୁତି ବେଳେ ବିଭିନ୍ନ ଅନିଶ୍ଚିତତାକୁ ନଜରରେ ରଖାଯାଇଛି । ଟ୍ରମ୍ପଙ୍କ ପାରସ୍ପରିକ ଆମଦାନୀ ଶୁଳ୍କକୁ ସେ ଏକତରଫା ଓ ଆର୍ଥିକ ଚାପର ଉଦାହରଣ ବୋଲି କହିଛନ୍ତି । ଆମେରିକା ଟାରିଫ ଉପରେ ଚୀନର ପ୍ରତିକ୍ରିୟା କେବଳ ନିଜ ଦେଶର ହିତ ପାଇଁ ନୁହେଁ ବରଂ ଅନ୍ତର୍ଜାତୀୟ ବାଣିଜ୍ୟ ନିୟମର ସୁରକ୍ଷା ପାଇଁ ବୋଲି ଲି କିୟାଙ୍ଗ କହିଛନ୍ତି ।

ଟାରିଫ ଓ୍ବାର…ଚୀନ୍, ୟୁରୋପ ଏକାଠି

ଚୀନ୍ ଓ ୟୁରୋପୀୟ ସଂଘର ଅର୍ଥବ୍ୟବସ୍ଥା ଟ୍ରମ୍ପଙ୍କ ପାରସ୍ପରିକ ଆମଦାନୀ ଶୁଳ୍କ ଦ୍ବାରା ପ୍ରଭାବିତ ହେବାକୁ ଯାଉଥିବା ବେଳେ ଉଭୟ ଏକାଠି ହୋଇଛନ୍ତି । ୟୁରୋପ ୨୦ପ୍ରତିଶତ ଅତିରିକ୍ତ ଶୁଳ୍କର ସାମନା କରିବାକୁ ପଡିବ । ତେବେ ସି ଜିନପିଙ୍ଗ ସରକାରଙ୍କ ନେତୃତ୍ବରେ ଚୀନ୍ ଟାରିଫ ଓ୍ବାରର ସାମନା କରିବାକୁ ସକ୍ଷମ ବୋଲି ବେଜିଂ କହିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆମେରିକାର ସମସ୍ତ ବାଣିଜ୍ୟ ସହଯୋଗୀଙ୍କ ପାଇଁ ଆମଦାନୀ ଉପରେ ବେସ୍ ଲାଇନ୍ ଟାରିଫ ୧୦ପ୍ରତିଶତ କରାଯାଇଛି । ପ୍ରାୟ ୭୦ଟି ଦେଶ ଉପରେ ପାରସ୍ପରିକ ଆମଦାନୀ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । ଏହାପରେ ବିଶ୍ବ ଅର୍ଥବ୍ୟବସ୍ଥାରେ ବଡ଼ ହଲଚଲ ହୋଇଛି । ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ବି ବଢିଛି ।

ଟାରିଫ ନୀତି ଦ୍ବାରା ଅନ୍ୟ ଦେଶରେ ଉତ୍ପାଦନ କରୁଥିବା ବିଭିନ୍ନ କମ୍ପାନୀ ପୁଣି ଆମେରିକାକୁ ଫେରିବେ ବୋଲି ଟ୍ରମ୍ପ ମନେ କରୁଛନ୍ତି । ଫଳରେ ଆମେରିକାରେ ଉତ୍ପାଦନ ବେସ୍ ବଢା ଯାଇପାରିବ । ତେବେ ଟାରିଫ ଲାଗୁ ହେବା ପରେ ଆମେରିକାରେ ଦରବୃଦ୍ଧି ହୋଇଛି । ସେପଟେ ବାଣିଜ୍ୟ ସହଯୋଗୀଙ୍କ ସହ ଆଲୋଚନା କରୁଛନ୍ତି ଟ୍ରମ୍ପ ପ୍ରଶାସନ । ଯେଉଁମାନେ ଆମେରିକୀୟ ଆମଦାନୀ ଉପରେ ଟାରିଫ କମ୍ କରିବାକୁ ପ୍ରସ୍ତୁତ ହେବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ । ଆର୍ଜେଣ୍ଟିନା, ଭିଏତନାମ ଓ ଇସ୍ରାଏଲ ପରି ଦେଶ ଟାରିଫ କମ୍ କରିବାକୁ ପ୍ରସ୍ତୁତ ଥିବା ଆମେରିକା ରାଷ୍ଟ୍ରପତିଙ୍କ ଶୀର୍ଷ ବ୍ୟାପାର ଅଧିକାରୀ କହିଛନ୍ତି । ତେବେ ଆମେରିକା ଅତିରିକ୍ତ ଟାରିଫ ଲାଗୁ କରିବା ପରେ ବି ଚୀନ୍ କୌଣସି ମତେ ପଛକୁ ହଟିବା ମୁଡରେ ନାହିଁ । ତେଣୁ ଉଭୟ ମହାଶକ୍ତି ମଧ୍ୟରେ ବାଣିଜ୍ୟ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Comments are closed.