Panama Canal: ‘ପାନାମା କେନାଲ ଛାଡ଼ି ବଡ଼ ଭୁଲ କରିଥିଲା ଆମେରିକା’, ଚୀନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ; ଜନ୍ମାଧିକାର ନାଗରିକତା ନେଇ ଦେଲେ ବଡ ଟିପ୍ପଣୀ…
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପାନାମା କେନାଲ ପ୍ରସଙ୍ଗ ଉଠାଇ ଆମେରିକାର ପୂର୍ବ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ଉତ୍ତର ଡାକୋଟାର ମେଡୋରାଠାରେ ଥିବା ଥିଓଡୋର ରୁଜଭେଲ୍ଟ ପ୍ରେସିଡେନ୍ସିଆଲ ଲାଇବ୍ରେରୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି ଯେ, ପାନାମା କେନାଲର ନିୟନ୍ତ୍ରଣ ପାନାମାକୁ ହସ୍ତାନ୍ତର କରିବା ଆମେରିକାର ଏକ ବଡ଼ ଐତିହାସିକ ଭୁଲ ଥିଲା।
ଟ୍ରମ୍ପଙ୍କ କହିବା ଅନୁସାରେ, ପାନାମା କେନାଲର ନିୟନ୍ତ୍ରଣ ପାଇବା ପରେ ପାନାମା ସରକାର ଜାହାଜଗୁଡ଼ିକଠାରୁ ଆଦାୟ କରାଯାଉଥିବା ଟ୍ରାଞ୍ଜିଟ ଫି’କୁ ପ୍ରଥମେ ଚାରି ଗୁଣ ବଢ଼ାଇଥିଲା। ପରେ ପୁଣି ଏହି ଫି’ ବୃଦ୍ଧି କରାଯାଇଥିଲା। ତେବେ ଫି’ ବଢ଼ିଥିଲେ ମଧ୍ୟ କେନାଲ ଦେଇ ଜାହାଜ ଚଳାଚଳରେ କୌଣସି ହ୍ରାସ ହୋଇନଥିଲା। ଫଳରେ ପାନାମା ବହୁ ବର୍ଷ ଧରି ବିପୁଳ ଆୟ କରିଥିବା ସେ ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ଟ୍ରମ୍ପ ଚୀନକୁ ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଚୀନ ବର୍ତ୍ତମାନ ପାନାମା କେନାଲ ଉପରେ ପ୍ରଭାବ ବିସ୍ତାର କରିବା ସହ ନିୟନ୍ତ୍ରଣ ହାସଲ କରିବାକୁ ଉଦ୍ୟମ କରୁଛି। କିନ୍ତୁ ଆମେରିକା ଏଭଳି କିଛି ହେବାକୁ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ତେବେ ୧୯୭୭ ମସିହାରେ ହୋଇଥିବା ଟୋରିଜୋସ-କାର୍ଟର ଚୁକ୍ତି ଅନୁଯାୟୀ ଆମେରିକା ପର୍ଯ୍ୟାୟକ୍ରମେ ପାନାମା କେନାଲର ନିୟନ୍ତ୍ରଣ ପାନାମାକୁ ହସ୍ତାନ୍ତର କରିବାକୁ ସହମତ ହୋଇଥିଲା। ଶେଷରେ ୧୯୯୯ ମସିହାରେ କେନାଲର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାନାମା ସରକାରଙ୍କ ହାତକୁ ଚାଲିଯାଇଥିଲା।
ଭାଷଣ ସମୟରେ ଟ୍ରମ୍ପ ବର୍ଥରାଇଟ୍ ସିଟିଜେନସିପ୍(ଜନ୍ମାଧିକାର ନାଗରିକତା) ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ କହିଥିଲେ, ଆମେରିକାରେ ଜନ୍ମ ହେଲେ ସ୍ୱୟଂଚାଳିତ ଭାବେ ନାଗରିକତା ମିଳିବାର ବ୍ୟବସ୍ଥା ମୂଳତଃ ଗୃହଯୁଦ୍ଧ ପରେ ଦାସ ପ୍ରଥାର ଶିକାର ହୋଇଥିବା ଲୋକଙ୍କ ସନ୍ତାନଙ୍କ ସୁରକ୍ଷା ପାଇଁ କରାଯାଇଥିଲା। ଅନ୍ୟ ଦେଶର ଲୋକଙ୍କ ସନ୍ତାନଙ୍କୁ ସ୍ୱତଃ ଆମେରିକୀୟ ନାଗରିକତା ଦେବା ଏହାର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି।
ସେହିପରି ନିକଟରେ ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ କାର୍ଯ୍ୟନିର୍ବାହୀ କ୍ଷମତା ସମ୍ପର୍କିତ ଏକ ରାୟ ଦେଇଥିଲେ। ଟ୍ରମ୍ପ ଏହି ରାୟକୁ ସ୍ୱାଗତ କରି କହିଥିଲେ, ଏହା ରାଷ୍ଟ୍ରପତି ପଦର କ୍ଷମତାକୁ ପୁନଃ ସୁଦୃଢ଼ କରିବା ସହ ସଙ୍କଟ ସମୟରେ ଆବଶ୍ୟକ ଅଧିକାର ପ୍ରଦାନ କରିଛି।