Latest Odisha News

ହାଇଡ୍ରୋଜେନରୁ ବିଦ୍ୟୁତ ଉତ୍ପାଦନ କରିବ ଚୀନ

ନୂଆଦିଲ୍ଲୀ: ବିଶ୍ବର ଅଧିକାଂଶ ଅଞ୍ଚଳରେ ଜଳ, କୋଇଲା ଏବଂ ଆଣବିକ ଶକ୍ତିରୁ ବିଦ୍ୟୁତ୍ ଉତ୍ପନ୍ନ କରାଯାଉଛି। ବିଦ୍ୟୁତ୍ ଶକ୍ତିର ଚାହିଦା ବଢିବା କାରଣରୁ ପବନ ଶକ୍ତି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏ କ୍ଷେତ୍ରରେ ଗୋଟିଏ ପାଦ ଆଗକୁ ବଢିଛି ଚୀନ। ଏବେ ହାଇଡ୍ରୋଜେନରୁ ବିଦ୍ୟୁତ୍ ଉତ୍ପାଦନ କରିବ ଚୀନ। ଏନେଇ ପ୍ରସ୍ତୁତ କରିଛି ପ୍ରଥମ ହାଇଡ୍ରୋଜେନ ଇଲେକ୍ଟ୍ରିକାଲ୍ ଜେନେରେଟର। ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଗ୍ୟାସ୍ ଟରବାଇନକୁ ସଫଳତାର ସହ ପରୀକ୍ଷା କରିଛି ଚୀନ। ଜୁପିଟର -୧  ନାମ ଥିବା ଏହି ଟରବାଇନ ୩୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରି ପାରିବ। ଆସନ୍ତୁ ଜାଣିବା କିପରି ରହିଛି ଏହି ଟରବାଇନର ଗଠନ ଶୈଳୀ।

ଚୀନ୍‌ର ଏହି ହାଇଡ୍ରୋଜେନ ଜେନେରେଟରକୁ ବିଶ୍ୱର ସବୁଠାରୁ ବଡ ଜେନେରେଟର କୁହାଯାଉଛି। ଏହି ଜେନେରେଟରକୁ ଅନ୍ୟାନ୍ୟ କମ୍ପାନୀମାନଙ୍କ ସହଯୋଗରେ ବିକଶିତ କରାଯାଇଛି।  ଜୁପିଟର -୧ ରେ ଏକ ସ୍ୱତନ୍ତ୍ର ଚାମ୍ବର ରହିଛି। ଏହି ଚାମ୍ବର ହାଇଡ୍ରୋଜେନ୍ ଜଳିବାରେ ସହାୟକ ହୋଇଥାଏ। ପବନ ଏବଂ ସୌର ପରି ଅକ୍ଷୟ ଶକ୍ତି ଉତ୍ସ ବ୍ୟତୀତ ଏହା ମଧ୍ୟ ଏକ ନୂତନ ଶକ୍ତି ଉତ୍ସ ହୋଇପାରେ। ଏଥିରୁ ଉତ୍ପାଦିତ ଅତିରିକ୍ତ ଶକ୍ତି ଇଲେକ୍ଟ୍ରୋଲାଇସିସ୍ ମାଧ୍ୟମରେ ଅଧିକ ହାଇଡ୍ରୋଜେନ୍ ଇନ୍ଧନ ତିଆରି କରିବାରେ ବ୍ୟବହୃତ ହୋଇପାରେ। ଏହି ଇନ୍ଧନରେ କାର ଚଳାଇବା ମଧ୍ୟ ସମ୍ଭବ ହୋଇପାରିବ।

ପ୍ରାୟ ୯୦ ବର୍ଷ ପୂର୍ବେ ହିଣ୍ଡେନବର୍ଗ ଜାହାଜ ହାଇଡ୍ରୋଜେନରେ ଉଡ଼ିଥିଲା। ଏହାପରେ ଜାହାଜ ଏକ ଦୁର୍ଘଟଣାର ଶିକାର ହୋଇଥିଲା। ସେହି ଜାହାଜରେ ପ୍ରାୟ ୧୮ ଟନ୍ ହାଇଡ୍ରୋଜେନ ବ୍ୟବହାର କରାଯାଇଥିଲା । କିନ୍ତୁ ଏହି ଚାଇନିଜ୍ ଜେନେରେଟର ଏହାର ୧୦ ଟି ସ୍ଵତନ୍ତ୍ର ଚାମ୍ବରରେ ଏକକାଳୀନ ୪୪୩.୪୫ ଟନ୍ ହାଇଡ୍ରୋଜେନ୍ ଗ୍ୟାସ୍ ବ୍ୟବହାର କରିପାରିବ।

ଅକ୍ଷୟ ଶକ୍ତି କ୍ଷେତ୍ରରେ ଆଜି ଚୀନ୍ ବିଶ୍ୱରେ ଆଗୁଆ । ୨୦୨୩ ରେ ଚୀନରେ ୩୧୦ ଗିଗାୱାଟରୁ ଅଧିକ ସୌର ଏବଂ ପ୍ରାୟ ୪୦୦ ଗିଗାୱାଟ ପବନ ଶକ୍ତି ଥିଲା । ୨୦୨୨ ମସିହାରେ ଚୀନ୍ ପ୍ରାୟ ୫୪୬ ବିଲିୟନ ଡ଼ଲାର୍ ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛି। ଯାହା ବିଶ୍ଵ ବିନିଯୋଗର ପ୍ରାୟ ଅଧା ଅଟେ।

Leave A Reply

Your email address will not be published.