ନୂଆଦିଲ୍ଲୀ: ନିଜର ତୈଳ ଯୋଗାଣ ଏବଂ ବ୍ୟାପାର ପାଇଁ ଚୀନ୍ ବର୍ତ୍ତମାନ ‘ମଲାକା ପ୍ରଣାଳୀ’ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କିନ୍ତୁ ଚୀନକୁ ଡର ଯେ, ଯୁଦ୍ଧ ସ୍ଥିତିରେ ଭାରତ ଏହି ରାସ୍ତାକୁ ସହଜରେ ବନ୍ଦ କରିଦେଇପାରେ । ଏହି ‘ମଲାକା ଦ୍ୱନ୍ଦ୍ୱ’ରୁ ବଞ୍ଚିବା ପାଇଁ ଚୀନ୍ ଏବେ ଥାଇଲ୍ୟାଣ୍ଡର ‘କ୍ରା ଇସ୍ଥମସ୍’ (Kra Isthmus) ଠାରେ ଏକ ୧୨୦ କିଲୋମିଟର ଲମ୍ବା ନୂଆ କେନାଲ୍ ତିଆରି କରିବାକୁ ଯୋଜନା କରୁଛି ।
ଏହି କେନାଲ୍ ଦକ୍ଷିଣ ଚୀନ୍ ସାଗରକୁ ସିଧାସଳଖ ଆଣ୍ଡାମାନ ସାଗର ସହ ଯୋଡ଼ିବ । ଫଳରେ ସାମୁଦ୍ରିକ ପଥ ପ୍ରାୟ ୧୨୦୦ କିଲୋମିଟର ଛୋଟ ହୋଇଯିବ । ଏହାକୁ ଚୀନର ‘ମେରିଟାଇମ୍ ସିଲ୍କ ରୋଡ୍’ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କୁହାଯାଉଛି । ଚୀନର ଏହି ଗତିବିଧିକୁ ଦେଖି ଭାରତ ମଧ୍ୟ ଚୁପ୍ ବସିନାହିଁ । ଗ୍ରେଟ୍ ନିକୋବର ଦ୍ୱୀପରେ ଭାରତ ୭୨ ହଜାର କୋଟି ଟଙ୍କାର ଏକ ବିଶାଳ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିଛି ।
ଏଠାରେ ଏକ ରଣନୈତିକ ନୌସେନା ଘାଟି ଏବଂ ଆନ୍ତର୍ଜାତୀୟ ଟ୍ରାନ୍ସସିପମେଣ୍ଟ ବନ୍ଦର ବିକଶିତ କରାଯାଉଛି । ଚୀନର ପ୍ରସ୍ତାବିତ ‘କ୍ରା କେନାଲ୍’ ଭାରତର ଏହି ପ୍ରୋଜେକ୍ଟର ଠିକ୍ ସମ୍ମୁଖରେ ଖୋଲିବ । ଫଳରେ ଚୀନର ଯେକୌଣସି ଜାହାଜ ଉପରେ ନଜର ରଖିବା ଏବଂ ଆବଶ୍ୟକ ପଡ଼ିଲେ ତାକୁ ନିୟନ୍ତ୍ରଣ କରିବା ଭାରତୀୟ ନୌସେନା ପାଇଁ ସହଜ ହେବ ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି କ୍ରା କେନାଲ୍ ଚୀନ୍ ପାଇଁ ‘ଋଣ ଯନ୍ତା’ ସାଜିପାରେ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୦ ରୁ ୩୦ ବିଲିୟନ ଡଲାର ଖର୍ଚ୍ଚ ହେବାର ଅନୁମାନ କରାଯାଉଛି। ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦର ଭଳି ଏହା ମଧ୍ୟ ଥାଇଲ୍ୟାଣ୍ଡ ପାଇଁ ଏକ ବୋଝ ହୋଇପାରେ। ଦକ୍ଷିଣ ଥାଇଲ୍ୟାଣ୍ଡରେ ଲାଗି ରହିଥିବା ଅସ୍ଥିରତା ଚୀନର ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ପାଇଁ ବଡ଼ ବାଧା ସୃଷ୍ଟି କରୁଛି।
ଚୀନ୍ ନିଜର ସପ୍ଲାଇ ଲାଇନ୍ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ, ଭାରତ ‘ଗ୍ରେଟ୍ ନିକୋବର’ ଜରିଆରେ ନିଜର ସୁରକ୍ଷା କବଚ ପ୍ରସ୍ତୁତ କରି ସାରିଛି ।