ପାଟନା: ଭାରତରେ ରସୁଣର ଅଭାବ ହେତୁ ନେପାଳ ଦେଇ ଚାଇନାରୁ ରସୁଣ ତସ୍କରୀ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ବେଆଇନ ବାଣିଜ୍ୟରେ ଅନେକ ଛୋଟ ଏବଂ ବଡ ଗ୍ୟାଙ୍ଗ ଜଡିତ ଅଛନ୍ତି । ଏହି ଗ୍ୟାଙ୍ଗଗୁଡିକ ନେପାଳରୁ ଭାରତକୁ ରସୁଣର ସାମଗ୍ରୀ ପଠାଉଛନ୍ତି । ସୀମା ସୁରକ୍ଷା ବାହିନୀ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, କିନ୍ତୁ ଚୋରା କାରବାର ବନ୍ଦ ହେଉନାହିଁ । ଖୋଲା ସୀମାର ସୁଯୋଗ ନେଇ ଚୋରା ଚାଲାଣକାରୀମାନେ ଚାଷ ଜମି ମାଧ୍ୟମରେ ଛୋଟ ଛୋଟ ପ୍ୟାକେଟରେ ରସୁଣ ପଠାଉଛନ୍ତି ।
ଏନେଇ ବିହାରର ପୂର୍ଣ୍ଣିଆ ପୋଲିସ ଏକ ଗୋଦାମରେ ଚଢ଼ାଉ କରି ପାଖାପାଖି ୪ ଟନ୍ ନିଷିଦ୍ଧ ଚାଇନା ରସୁଣ ଜବତ କରିଛି । ଜବତ ରସୁଣର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ତେବେ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇଥିବାରୁ ଭାରତ ସରକାର ୨୦୧୪ରେ ଦେଶରେ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଚାଇନା ରସୁଣ ଖାଇଲେ ପେଟ ଓ ଅନ୍ତନଳୀ ଫୁଲିଯିବା ସହିତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ । ଏମିତିରେ ଏହାର ବ୍ୟବହାର ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ତେଣୁ ଏହାକୁ ଭାରତୀୟ ବଜାରରେ ନିଷେଧ କରାଯାଇଛି ।
ତେବେ ଗୋଦାମରେ ଚାଇନା ରସୁଣ ମହଜୁଦ ଥିବା ନେଇ ଗୁଲାବବାଗ ଟିଓପି ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ରାଜେଶ ଗୁପ୍ତା ନାମକ ବ୍ୟବସାୟୀ ନେପାଳ ରାସ୍ତା ଦେଇ ଚୀନରୁ ଅତି ଶସ୍ତା ଦାମରେ ନିଷିଦ୍ଧ ଚାଇନା ରସୁଣ ମଗାଇଥିଲେ ଏବଂ ଏହାକୁ ବିଭିନ୍ନ ସ୍ଥାନକୁ ଯୋଗାଣ କରୁଥିଲେ । ଏହି ସୂଚନା ଆଧାରରେ ଏସପି କାର୍ତ୍ତିକେୟ ଶର୍ମାଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓ ପଙ୍କଜ କୁମାର ଶର୍ମାଙ୍କ ନେତୃତ୍ୱରେ ଉକ୍ତ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା ।
ବିଶେଷଜ୍ଞମାନେ କହିଛନ୍ତି ଯେ ଚଳିତ ବର୍ଷ ଭାରତରେ ରସୁଣର ଉତ୍ପାଦନ ହ୍ରାସ ପାଇଛି, ଯେଉଁଥିପାଇଁ ଚୋରା ଚାଲାଣକାରୀମାନେ ଏକ ସୁଯୋଗ ପାଇଛନ୍ତି ।