ଭୁବନେଶ୍ବର: ଚିଟ୍ଫଣ୍ଡ କମ୍ପାନି ଗ୍ରୀନ୍ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ଇଡିର ଚଢ଼ଉ ମାମଲା। ମାଲିକ ପ୍ରଦୀପଙ୍କ ଘରୁ ମିଳିଲା ନଗଦ ୮୪ ଲକ୍ଷ। ମନି ଲଣ୍ଡରିଂ ନିବାରଣ ଆଇନ୍ ୨୦୦୨ (ପିଏମ୍ଏଲଏ) ଅନୁସାରେ ବ୍ରହ୍ମପୁରର ୪ ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଇଡିକୁ ହିସାବ ବିହୀନ ୮୪.୨୦ ଲକ୍ଷ ଟଙ୍କା ମିଳିଥିଲା ।
ଏହା ସହିତ ଗୋଟିଏ ଅସ୍ଥାବର ସମ୍ପତ୍ତିର ଡକ୍ୟୁମେଣ୍ଟ, ଦଲିଲ୍, ମର୍ସିଡିଜ୍ କାର, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଡିଜିଟାଲ୍ ଡିଭାଇସ୍ ମଧ୍ୟ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଧିକ ରିଟର୍ଣ୍ଣ ଓ ଗ୍ରୀନ୍ ଇଣ୍ଡିଆ ପାରାଡାଇଜ ପ୍ରୋଜେକ୍ଟରେ ଫ୍ଲାଟ ଯୋଗାଇବା ଆଳରେ କମ୍ପାନୀ ଶତାଧିକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ଟଙ୍କା ଦିଆଯାଇ ନଥିଲା କି ଫ୍ଲାଟ୍ ମଧ୍ୟ ମିଳିନଥିଲା।
ନିବେଶକମାନେ ଟଙ୍କା ଫେରସ୍ତ ମାଗିବାରୁ କମ୍ପାନୀର ଏମଡି ଟଙ୍କା ଫେରାଇବାକୁ ମନା କରିବା ସହ ଧମକଚମକ ଦେଇଥିବା ଅଭିଯୋଗ ହୋଇଥିଲା । କମ୍ପାନୀ ୬୯ କୋଟି ଟଙ୍କା ଠକି ନେଇଥିବା ନିବେଶକମାନେ ଅଭିଯୋଗ କରିବା ପରେ ୨୦୧୪ ମସିହା ଜୁନ ମାସରେ କୋଲକତା ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତ ଠକେଇ ଟଙ୍କାକୁ ବିଭିନ୍ନ ଅସ୍ଥାବର ସମ୍ପତ୍ତି ଓ ଅନ୍ୟାନ୍ୟ ସମ୍ପତ୍ତିରେ ବିନିଯୋଗ କରିଥିବା ତଦନ୍ତ ବେଳେ ଜଣାପଡ଼ିଥିଲା।
Comments are closed.