Latest Odisha News

BREAKING NEWS

ଚୌଦ୍ୱାର ଜେଲ୍‌ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ

କଟକ: ଚୌଦ୍ୱାର ସର୍କଲ୍ ଜେଲ୍‌ର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ନିୟମିତ ଜାମିନ ଆବେଦନକୁ କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରି ଦେଇଛନ୍ତି । ପୂର୍ବରୁ ସୁଜିତ କୁମାର ରାଉଳଙ୍କୁ ନିଲମ୍ୱିତ କରାଯାଇଥିଲା। ଏବେ ଜେଏମ୍ଏଫ୍‌ସି ଅଦାଲତରେ ଜାମିନ ଖାରଜ ହେବା ପରେ ସୁଜିତ ରାଉଳ ନିୟମିତ ଜାମିନ ପାଇଁ ଦୌରାଜଜ୍ ଅଦାଲତରେ ଆବେଦନ କରିଥିଲେ। ପୂର୍ବରୁ ତାଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ ।

ଚୌଦ୍ୱାର ସର୍କଲ୍ ଜେଲ୍‌ର ମିନିଟ୍ ବୁକ୍ ଓ ଅନ୍ୟାନ୍ୟ ରେକର୍ଡରେ ଜାଲିଆତି ଓ ହେର୍‌ଫେର୍‌ ଅଭିଯୋଗରେ ସୁଜିତ ରାଉଳ ଗିରଫ ହୋଇଥିଲେ । ଜାମିନ ଆବେଦନର ଶୁଣାଣି ସମୟରେ ଅଭିଯୋଗକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସୁଜିତ ରାଉଳ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଥିବାବେଳେ ଅଭିଯୋଗକାରୀ ଜେଲର୍ ତାଙ୍କ ଅଧୀନସ୍ଥ ଅଧିକାରୀ । ତଦନ୍ତ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ ସେ ପ୍ରମାଣ ନଷ୍ଟ କରିବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ଥିବା ଦର୍ଶାଇ ଜାମିନକୁ ବିରୋଧ କରାଯାଇଥିଲା । ଏହି ଯୁକ୍ତିକୁ ବିଚାରକୁ ନେଇ ଅଦାଲତ ଜାମିନ ଦେବାକୁ ମନା କରି ଦେଇଛନ୍ତି ।

ଦୁର୍ଗାପୂଜା ଉତ୍ସବ ଚାଲିଥିବା ସମୟରେ ୨୦୨୫ ମସିହା ଅକ୍ଟୋବର ୩ ତାରିଖରେ ବିହାରର ଦୁଇ ଅପରାଧୀ – ରାଜା ସାହାନୀ ଏବଂ ମଧୁକାନ୍ତ କୁମାର ଚୌଦ୍ୱାର ସର୍କଲ ଜେଲରୁ ଫେରାର ହେବାର ପ୍ରାୟ ଏକ ବର୍ଷ ପରେ ସୁଜିତ ରାଉଳଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଦୁଇ କଏଦୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ୨୦୨୫ ଅକ୍ଟୋବର ୨ରେ ଚୌଦ୍ୱାର ଜେଲ୍‌ର ଦୁଇ ଜଣ ବିହାରୀ ବିଚାରାଧୀନ କଏଦୀ ଫେରାର ହୋଇଥିଲେ । ଏହାପରେ ଦାୟିତ୍ୱ ଏଡ଼ାଇବା ଉଦ୍ଦେଶ୍ୟରେ ଜେଲ୍‌ର ଗେଟ୍ ଇନ୍-ଆଉଟ୍ ରେଜିଷ୍ଟର, ଅଧୀକ୍ଷକଙ୍କ ମିନିଟ୍ ବୁକ୍ ଏବଂ ଅନ୍ୟାନ୍ୟ ରେକର୍ଡରେ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ତତ୍କାଳୀନ ଜେଲର୍ଙ୍କ ଦସ୍ତଖତ ଜାଲ୍ କରାଯାଇଥିବା ନେଇ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ସମୟରେ ସୁଜିତ ରାଉଳଙ୍କ ସଂପୃକ୍ତି ମିଳିଥିବା ଦର୍ଶାଇ ପୁଲିସ ତାଙ୍କୁ ସେପ୍ଟେମ୍ବର ୨୧ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

 

Leave A Reply

Your email address will not be published.