ଲଣ୍ଡନ: ଇଂଲଣ୍ଡର ସିନିୟର ଅଲରାଉଣ୍ଡର କ୍ରିସ ୱକସ ସୋମବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ୱକସ ଭରତ ବିପକ୍ଷ ସିରିଜ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ୫ମ ଟେଷ୍ଟରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା । ସେ ଫିଟ ହୋଇ ଫେରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ଏହା ସଫଳ ହୋଇ ନ ଥିଲା । ମ୍ୟାଚରେ ସେ ଭଙ୍ଗା ହାତରେ ବ୍ୟାଟିଂ କରିବାକୁ ଆସିଥିଲେ । ୱକସ ୨୦୧୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୫ ବର୍ଷ ପର୍ଯ୍ୟନ୍ତ ସେ ଇଂଲଣ୍ଡ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଥିଲେ ।
୬୨ ଟେଷ୍ଟରେ ସେ ୧୯୨ ୱିକେଟ ନେଇଥିବା ବେଳେ ଗୋଟିଏ ଶତକ ଓ ୭ ଅର୍ଦ୍ଧଶତକ ସହାୟତାରେ ୨୦୩୪ ରନ ସଂଗ୍ରହ କରିଥିଲେ । ସେ ୧୨୨ ଦିିନିକିଆ ଓ ୩୩ ଟି୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି । ସୋସିଆଲ ମିଡିଆରେ ସେ ଭାବପ୍ରବଣ ହୋଇ ଲେଖିଥିଲେ, ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସମୟ ଉପନୀତ ହୋଇଗଲା । ଇଂଲଣ୍ଡ ପକ୍ଷରୁ ଖେଳିବା ସର୍ବଦା ମୋର ସ୍ୱପ୍ନ ଥିଲା । ମୁଁ ଭାଗ୍ୟଶାଳୀ ଏଥିରେ ସଫଳ ମଧ୍ୟ ହୋଇଥିଲେ । ପଡିଆରେ ଖେଳ ବ୍ୟତୀତ ଅନେକ ବନ୍ଧୁ ଏବଂ ଅନେକ ପ୍ରଶଂସକ ପାଇଛି । କିଛି ଦିନ ତଳେ ଇସିବିର ଏମଡି ରବର୍ଟ ସ୍ପଷ୍ଟ କରିଥିଲେ ଆଗକୁ ଇଂଲଣ୍ଡ ଟିମ ଯୋଜନାରେ ୱକ୍ସଙ୍କ ନାମ ନାହିଁ । ୱକସ ଏବେ କାଂଉଟି କ୍ରିକେଟ ଓ ଫ୍ରାଂଚାଇଜ ଲିଗ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।
Comments are closed.