Latest Odisha News

BREAKING NEWS

ବଡ଼ଦିନ; ମଧ୍ୟରାତ୍ରୀରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ

ଭୁବନେଶ୍ୱର: ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍‍ଧାମ୍‍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ୱାଦଶ ଦିନରେ ସରି ଏକ ଉତ୍ସବ ପରି ପାଳିତ ହୁଏ ।

କିଛି ଦେଶର ସ୍ଥାନୀୟ ସଂସ୍କୃତି ଅନୁସାରେ ଏହି ଉତ୍ସବ ଆଠ ଦିନ ଧରି ମଧ୍ୟ ପାଳିତ ହୁଏ ।ଖ୍ରୀଷ୍ଟ ଧର୍ମାବଲମ୍ବୀ ବା ଅନେକ ଦେଶରେ ଅଣ-ଖ୍ରୀଷ୍ଟୀୟ ଜନସମୂହଙ୍କର ମୁଖ୍ୟ ପର୍ବ ହୋଇଥିବାରୁ ଭାରତ ସମେତ ଅନେକ ଦେଶରେ ବଡ଼ଦିନକୁ ଏକ ସରକାରୀ ଛୁଟିଦିନ ରୂପେ ଘୋଷିତ କରାଯାଇଛି ।

ବାଇବେଲ୍‍ର “ନ୍ୟୁ ଟେଷ୍ଟାମେଣ୍ଟ୍” (ନୂତନ ନିୟମାବଳୀ) ଅନୁସାରେ ବେଥ୍ଲେହେମ୍‍ଠାରେ ଯୀଶୁଙ୍କ ଜନ୍ମ ଗ୍ରହଣର ବୃତ୍ତାନ୍ତ ବଡ଼ଦିନ ଉତ୍ସବର ପାରମ୍ପରିକ ମୂଳଦୁଆ । ସନ୍ଥ ଜୋସେଫ୍ ଓ ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ରହିବା ପାଇଁ କୌଣସି ପାନ୍ଥନିବାସ ନାହିଁ । ତେଣୁ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯୀଶୁଙ୍କୁ ଜନ୍ମଦାନ କରିଥିଲେ । ଦେବଦୂତ ଓ ମେଷପାଳକମାନେ ମିଶି ଏହି ଶୁଭ ମୁହୂର୍ତ୍ତ ବିଷୟରେ ସଭିଙ୍କୁ ଜଣାଇଲେ ଓ ଯୀଶୁ ଜନ୍ମ ନେବା କଥା ପ୍ରଚାରିତ ହୋଇଗଲା ।

ବଡ଼ଦିନ ପାଳନର ପରମ୍ପରାରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଥା, ଖ୍ରୀଷ୍ଟପୂର୍ବ ସମୟର କିଛି ଧାର୍ମିକ ପ୍ରଥା ଓ ଅନ୍ୟ କେତେକ ଉଦାରପନ୍ଥୀ ଧାର୍ମିକ ପ୍ରଥା ସମ୍ମିଶ୍ରିତ ହୋଇ ରହିଛି ।  ଆଧୁନିକ ଯୁଗରେ ବଡ଼ଦିନ ପାଳନ ସମୟରେ ଉପହାର ଦେଣନେଣ, ବଡ଼ଦିନର ସଙ୍ଗୀତ ଓ ପ୍ରାର୍ଥନା, ବଡ଼ଦିନ ଗଛ, ଘରକୁ ଆଲୋକମାଳାରେ ସଜ୍ଜିତ କରିବା, ଗୀର୍ଜା ଘର ତରଫରୁ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ଯୋଗଦାନ ଦେବା, ବଡ଼ଦିନ କାର୍ଡ୍ ଦେବାନେବା, କଣ୍ଢେଇ ମାଧ୍ୟମରେ ଯୀଶୁଙ୍କ ଜନ୍ମବୃତ୍ତାନ୍ତ ଦର୍ଶାଇବା ପରି ବିଭିନ୍ନ ପ୍ରଥା ପ୍ରଚଳିତ ହୁଏ ।

ବଡ଼ଦିନ ସମ୍ପର୍କିତ କିଛି ସ୍ଥାନୀୟ ଲୋକକଥା ଓ ପରମ୍ପରା ମଧ୍ୟ ରହିଛି । ସନ୍ଥ ନିକୋଲାସ୍ ବା “ସାଣ୍ଟା କ୍ଲସ୍” ଛୋଟ ପିଲାଙ୍କ ପାଇଁ ଉପହାର ଆଣିଦେବା ସେମାନଙ୍କୁ ଉତ୍ସାହିତ ଓ ଆନନ୍ଦିତ କରିଥାଏ । ଉପହାର ଓ ଅନ୍ୟାନ୍ୟ ସାମଗ୍ରୀ କିଣାବିକା ଯୋଗୁଁ ବଡ଼ଦିନ ସମୟଟି ବ୍ୟାପାର ପାଇଁ ଉତ୍କୃଷ୍ଟ ସମୟ ଓ ଗତ କିଛି ଶତାବ୍ଦୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ବଡ଼ଦିନ ସମୟରେ ଏହି ବ୍ୟାପାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ତେବେ କୋଭିଡ ପାଇଁ ଚଳିତ ବର୍ଷ ବଡ଼ଦିନର ଚମକ କିଛିଟା ଫିକା ପଡିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.