Latest Odisha News

ଜୁନ ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ପ୍ଲସ୍-୨ କଳା ପରୀକ୍ଷା ଫଳ ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ବୁଧବାର ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ଜୁନ୍ ୮ ତାରିଖ ସୁଦ୍ଧା କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ। ଇତିମଧ୍ୟରେ ପ୍ଲସ୍ ୨ ପାଠ୍ୟକ୍ରମ ସହ ମୂଲ୍ୟାୟନ ଢାଞ୍ଚାରେ ସଂସ୍କାର ପାଇଁ ପରିଷଦ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

ପ୍ରସ୍ତାବିତ ସଂସ୍କାର ସମ୍ପର୍କରେ ଶ୍ରୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପାଠ୍ୟକ୍ରମରେ ସଂସ୍କାର ନେଇ ଆମ ଏକାଡେମିକ୍ କାଉନସିଲ୍ ନିଷ୍ପତ୍ତି ନେବ। ଏବେ ଆମେ ଏହାର ରୂପରେଖ ଉପରେ ଆଲୋଚନା କରୁଛୁ। ଖୁବଶୀଘ୍ର ଏକାଡେମିକ୍ କମିଟି ବୈଠକ ବସି ପାଠ୍ୟକ୍ରମ ଓ ମୂଲ୍ୟାୟନ ଢାଞ୍ଚାର ସମୀକ୍ଷା କରିବ।

ସୂଚନାଯୋଗ୍ୟ, ଯୁକ୍ତ ୨ ରେଜଲ୍ଟ ପ୍ରକାଶ କରିବାରେ ବିଳମ୍ବ ହେବାରୁ ସିଏଚଏସଇକୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡିଛି। ରାମନବମୀ ହିଂସା ସମୟରେ ସମ୍ବଲପୁରରେ ସାତ ଦିନ ଧରି ଆମର ମୂଲ୍ୟାୟନ ବାଧାପ୍ରାପ୍ତ ହୋଇଥିଲା, ନଚେତ୍ ଆମେ ଏହାକୁ ଏକ ସପ୍ତାହ ପୂର୍ବରୁ ପ୍ରକାଶ କରିଥାନ୍ତେ ବୋଲି ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି।

ସିବିଏସ୍ଇ ରେଜଲ୍ଟ ପ୍ରକାଶ ପାଇବାର ୧୭ ଦିନ ପରେ ଶେଷରେ ସିଏଚଏସ୍ଇ ବୁଧବାର ପ୍ଲସ୍ ୨ (ବିଜ୍ଞାନ, ବାଣିଜ୍ୟ) ରେଜଲ୍ଟ ପ୍ରକାଶ କରିଛି। ସିଏଚଏସଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଜ୍ଞାନ ବିଭାଗରେ ପରୀକ୍ଷା ଦେବାକୁ ୯୩, ୭୩୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ଶେଷରେ ଚଳିତ ବର୍ଷ ୯୨, ୯୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୮,୯୩୮ ଜଣ (୮୪.୯୩ ପ୍ରତିଶତ) ବିଜ୍ଞାନ ବିଭାଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣିଜ୍ୟ ବିଭାଗର କଥା କହିବାକୁ ଗଲେ ବାଣିଜ୍ୟରେ ନାମ ଲେଖାଇଥିବା ମୋଟ ୨୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ହଜାର ୨ଜଣ ରେଗୁଲାର ଓ ୧୦୬୫ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ମିଶାଇ ୨୪ହଜାର ୮୨ଜଣ ପ୍ଲସ ଟୁ ପରୀକ୍ଷା ଦେଇଥିଲେ। ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବାଣିଜ୍ୟ ବିଭାଗରେ ୧୯ ହଜାର ୫୩୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।ବାଣିଜ୍ୟ ବିଭାଗରେ ମୋଟ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି।

Comments are closed.