ନୂଆଦିଲ୍ଲୀ: ୟୁକେ, ନା ଶୁଣିଲେ, ଆପଣଙ୍କ ଆଖି ଆଗରେ କେବଳ କିଛି ଦୃଶ୍ୟ ସାମ୍ନାକୁ ଆସୁଥିବ । ଚକାଚକ୍ ରାସ୍ତା, ଚାରିଆଡେ ପରିଷ୍କାର ପରିଚ୍ଛନ୍ନତା, ବଡ ବଡ ସୁଉଚ୍ଚ ଅଟ୍ଟଳିକା, ମନଲୋଭାକର ପରିବେଶ । ହେଲେ ଏବେକା ସ୍ଥିତି ଆପଣଙ୍କୁ ବାନ୍ତି କରାଇଦେବ, ବ୍ରିଟେନର ବର୍ମିଂହାମ ସହର ଆଜିକାଲି ଅଳିଆ ଗଦାରେ ବୁଡ଼ି ଯାଇଛି । ଗତ ଚାରି ସପ୍ତାହ ଧରି ଏହି ସହରରେ ଅଳିଆ ସଂଗ୍ରହ କାର୍ଯ୍ୟ ଠପ୍ ହୋଇଯାଇଛି । ଯେଉଁ କାରଣରୁ ରାସ୍ତାରେ ପ୍ରାୟ ୧୭ ହଜାର ଟନ୍ ଆବର୍ଜନା ପଡ଼ି ରହିଛି । ପରିସ୍ଥିତି ଏମିତି ହେଲାଣି ଯେ, ଅଳିଆ, ପ୍ରବଳ ଗନ୍ଧ ଏବଂ ଚାରିଆଡେ ମୂଷା ସେଠିକା ଲୋକଭ୍କ ଜୀବନକୁ ନର୍କ କରିଛି । ଗାଜିପୁରର ଅଳିଆ ଆବର୍ଜନା ଅପେକ୍ଷା ବର୍ମିଂହାମର ରାସ୍ତାଗୁଡ଼ିକ ବର୍ତ୍ତମାନ ଖରାପ ଦେଖାଯାଉଛି ଏବଂ ସେଠାରେ ଥିବା ଲୋକମାନେ ଏଭଳି ସ୍ଥିତିକୁ ନେଇ ହନ୍ତସନ୍ତ ହେଉଛନ୍ତି ।
ତେବେ ଘଟଣା ହେଉଛି, ଧର୍ମଘଟରେ ବସିଛନ୍ତି ସଫେଇ କର୍ମଚାରୀ । ବର୍ମିଂହାମ ସହରର କର୍ମଚାରୀମାନେ ଅଳିଆ ସଂଗ୍ରହ ଏବଂ ପୁନଃବ୍ୟବହାର (WRCO) ଅଧିକାରୀଙ୍କ ଚାକିରି ରଦ୍ଦକୁ ବିରୋଧ କରି ଧର୍ମଘଟରେ ରହିଛନ୍ତି । ଗତ ଚାରି ସପ୍ତାହ ଧରି ଏହି ଧର୍ମଘଟ ଚାଲିଛି । ସମାଧାନର ବାଟ ବାହାରୁନି । ଫଳରେ ରାସ୍ତାରେ, ଅଳିଆ ଆବର୍ଜନା ଗଦା ଗଦା ହୋଇ ପଡିରହିଛି । ଦୁର୍ଗନ୍ଧଯୁକ୍ତ ଅଳିଆ ରାସ୍ତାରେ ବିଛାଡି ହୋଇଥିବାରୁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକ ଅତିଷ୍ଠ ହୋଇପଡିଲେଣି । ଦୁର୍ଗନ୍ଧ ଏତେ ଯେ, ନିଶ୍ବାସ ନେବା କଷ୍ଟକର । ଏହାକୁ ନେଇ ଅସନ୍ତୁଷ୍ଟ ଜନତା, ବର୍ମିଂହାମକୁ ‘ତୃତୀୟ ବିଶ୍ୱ ଦେଶ’ କରିବାକୁ ସରକାର ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ।
ବର୍ମିଂହାମରେ ହୋଇଥିବା ଏହି ଧର୍ମଘଟ କେବଳ ଲୋକଙ୍କୁ ଅସୁବିଧାରେ ପକାଇଛି ତାହା ନୁହେଁ, ବରଂ ଅନେକ ବ୍ୟବସାୟ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ଆବର୍ଜନା କାରଣରୁ ମୂଷାମାନଙ୍କ ଉତ୍ପାତ ବଢିଯାଇଛି । ଗତ ସପ୍ତାହରେ ୧୫ଟି କାର ମରାମତି କରାଯାଇଥିଲା ଯାହାର ବ୍ୟାଟେରୀ ତାରଗୁଡିକ ମୂଷା ଦ୍ୱାରା କାଟି ଦିଆଯାଇଥିଲା । ଉଷ୍ମତା ପାଇଁ ମୂଷାମାନେ କାର ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ଫଳରେ ସେଠିକା ଲୋକ ହଇରାଣରେ ପଡିଛନ୍ତି ।
ତେବେ ମିଲିଥିବା ରିପୋର୍ଟ ଅନୁଯାୟୀ, ଏହି ଧର୍ମଘଟ ପଛର କାରଣ କେବଳ ଅଳିଆ ସଂଗ୍ରହ କର୍ମଚାରୀଙ୍କ ଚାକିରି କାଟ୍ ତାହା ନୁହେଁ, ଏହି ସମସ୍ୟା ୨୦୧୭ ଠାରୁ ଜାରି ରହିଛି, ବର୍ମିଂହାମର ଅଳିଆ କର୍ମଚାରୀମାନେ ସେବେଠୁ ନିଜର ଅସନ୍ତୋଷ ଜାରି ରଖିଛନ୍ତି । ୨୦୧୭ରେ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ପରିଷଦ WRCO ନାମକ ଏକ ନୂଆ ପଦବୀ ସୃଷ୍ଟି କରିଥିଲା । କିନ୍ତୁ ଏହି ପଦବୀ ପ୍ରକୃତରେ କର୍ମଚାରୀମାନଙ୍କୁ ଅଧିକ ଦରମା ଦେବା ପାଇଁ ମାତ୍ର ଏକ ଉପାୟ ଥିଲା, କୋୗଣସି ନୂଆ କାର୍ଯ୍ୟର ସୃଷ୍ଟି ନୁହେଁ । ପରବର୍ତ୍ତୀ ସମୟରେ, ମହିଳା କର୍ମଚାରୀଙ୍କ ସମାନ ଦରମା ପାଇଁ ବର୍ମିଂହାମ ପରିଷଦ ଅସୁବିଧାର ସମ୍ମୁଖୀନ ହୋଇଥିଲା । ପରିଷଦରେ ପୁରୁଷ କର୍ମଚାରୀଙ୍କୁ ଅଧିକ ଦରମା ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ କରିଥିଲେ ମହିଳା କର୍ମଚାରୀ । ହେଲେ ମହିଳା କର୍ମଚାରୀଙ୍କୁ ସମାନ ସୁବିଧା ଯୋଗାଇ ନଥିଲା ୁକ୍ତ ପରିଷଦ । ଯେଉଁ ନିଯୁକ୍ତି ପାଇଁ ପ୍ରାୟ ୧.୧ ବିଲିୟନ କ୍ଷତି ସହିଛି ପରିଷଦ । ଏଥିପାଇଁ ବର୍ମିଂହାମ ପରିଷଦ ଏବେ ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ବର୍ଜ୍ୟବସ୍ତୁ ସଂଗ୍ରହ ନିମନ୍ତେ ସୃଷ୍ଟି କରିଥିବା ପୋଷ୍ଟଗୁଡିକୁ ହଟାଇବାକୁ ଚେଷ୍ଟା କରୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଧର୍ମଘଟରେ ରହିଛନ୍ତି ସଫେଇ କର୍ମଚାରୀ ।
Comments are closed.