Latest Odisha News

ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତିଙ୍କ ମଧ୍ୟ କଣ ହୋଇଥିଲା ଆଲୋଚନା: ମୁହଁ ଖୋଲିଲେ ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଅବସର ନେବା ପୂର୍ବରୁ ମୁହଁ ଖୋଲିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଗଣେଶ ପୂଜା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ କଣ ଆଲୋଚନା କରିଥିଲେ ସେନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଘଟଣାକୁ ନେଇ ରାଜନୈତିକ ଆଲୋଚନା ଜୋରଦାର ହୋଇଥିଲା। ଆଜି ଏହି ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ। ଏନେଇ ଚନ୍ଦ୍ରଚୂଡ଼ କହିଛନ୍ତି, ଦୁଇଜଣଙ୍କ ମଧ୍ୟରେ କୌଣସି ପ୍ରକାର ମାମଲା ସମ୍ପର୍କରେ ଆଲୋଚନା ହୋଇ ନଥିଲା।

ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା। ସେହିଭଳି ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ନିୟମିତ ଦେଖା ସାକ୍ଷାତ ହୁଏ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପୂଜାପାଠ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନ ବିଚାରପତିଙ୍କ ଘରକୁ ଯାଇ ପୂଜା କରିଥିଲେ। ଅବସର ପୂର୍ବରୁ ବିଚାରପତି କହିଛନ୍ତି ଯେ ଏଭଳି ବୈଠକରେ ନ୍ୟାୟିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ନାହିଁ।

ସେ କହିଛନ୍ତି, “ଲୋକମାନେ ଭାବନ୍ତି ଏମାନେ କାହିଁକି ସାକ୍ଷାତ କରୁଛନ୍ତି। ଆମର ରାଜନୈତିକ ବ୍ୟବସ୍ଥାର ପରିପକ୍ୱତା ହେଉଛି ଯେ ରାଜନୈତିକ ଶ୍ରେଣୀରେ ମଧ୍ୟ ନ୍ୟାୟପାଳିକା ପ୍ରତି ବହୁ ସମ୍ମାନ ରହିଛି। ନ୍ୟାୟପାଳିକାର ବଜେଟ୍ ରାଜ୍ୟରୁ ଆସିଥାଏ। ଏହି ବଜେଟ୍ ବିଚାରପତି ମାନଙ୍କ ପାଇଁ ନୁହେଁ। ବିଚାରପତିମାନଙ୍କ ପାଇଁ ଆମକୁ ନୂତନ କୋର୍ଟ ବିଲଡିଂ, ଜିଲ୍ଲାମାନଙ୍କରେ ବିଚାରପତିଙ୍କ ପାଇଁ ନୂତନ ଆବାସ ଆବଶ୍ୟକ, ଏଥିପାଇଁ ପ୍ରଧାନ ବିଚାରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆବଶ୍ୟକ”। ଭାରତର ପ୍ରଧାନ ବିଚାରପତି ନଭେମ୍ବର ୧୦ ରେ ଅବସର ନେଉଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ତାଙ୍କ ସ୍ଥାନରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ।

Leave A Reply

Your email address will not be published.