Latest Odisha News

ନେତାଙ୍କ ସହ ଘନିଷ୍ଠତା ଭାଙ୍ଗି ଲୋକଙ୍କ ବିଶ୍ୱାସ ଭାଜନ ହୁଅ: ସିଜେଆଇ

ନୂଆଦିଲ୍ଲୀ: ନିରପେକ୍ଷତା ଅଭାବରୁ ଏବଂ ରାଜନୈତିକ ବର୍ଗଙ୍କ ସହ ଘନିଷ୍ଠତା କାରଣରୁ ପୋଲିସର ଭାବମୂର୍ତ୍ତି ଖରାପ ହୋଇଛି । ଲୋକେ ହତାଶା ସମୟରେ ବି ପୁଲିସର ଦ୍ୱାରସ୍ଥ ହେବାକୁ ଭୟ କରୁଛନ୍ତି ବୋଲି ପ୍ରଧାନବିଚାରପତି ଏନ ଭି ରମନ୍ନା କହିଛନ୍ତି । କିଛି ପୁଲିସ କର୍ମଚାରୀଙ୍କ ଦୁର୍ନୀତି ଓ ଅତ୍ୟାଚାର ଯୋଗୁଁ ଲୋକେ ଏବେ ତାଙ୍କ ଉପରେ ବିଶ୍ୱାସ କରୁନାହାନ୍ତି। ଖାଲି ପୁଲିସ ନୁହଁ ସିବିଆଇର ନିଷ୍କ୍ରିୟତା ଉପରେ ମଧ୍ୟ ସିଜେଆଇ ପ୍ରଶ୍ନ ଉଠାଇ ଅସନ୍ତୋଷ ଜାହିର କରିଛନ୍ତି। ସିବିଆଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନ ବିଚାରପତି ଏପରି କହିଛନ୍ତି । ଏଥିସହ ଦେଶରେ ପୁଲିସ ସଂସ୍କାରର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

ଗଣତନ୍ତ୍ରରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଭୂମିକା ଏବଂ ଦାୟିତ୍ୱବୋଧ ଉପରେ ଏକ ବକ୍ତୃତାରେ ପ୍ରଧାନ ବିଚାରପତି ବ୍ରିଟିଶ ଶାସନ ପରଠାରୁ ଭାରତରେ ପୋଲିସ ବ୍ୟବସ୍ଥା କିପରି ବଦଳିଛି ତାହା ବର୍ଣ୍ଣନା କରିଥିଲେ । ପୋଲିସ କେବଳ ଚାକିରୀ ନୁହେଁ ବରଂ ଏକ କଲିଂ, ଅନ୍ୟ ସଂସ୍ଥା ଭଳି ସିବିଆଇର ବିଶ୍ୱସନୀତା କଥା କହିଛନ୍ତି ରମନ୍ନା।

ପ୍ରଧାନ ବିଚାରପତି ଏନ ଭି ରମନ୍ନା କହିଛନ୍ତି, ପୋଲିସ୍ ରାଜନୈତିକ ବର୍ଗଙ୍କ ସଲାସୁତରା ନକରି ଲୋକଙ୍କ ବିଶ୍ୱାସ ଫେରି ପାଇବାକୁ ଚେଷ୍ଟା କରିବା ଉଚିତ। ପୁଲିସ ଇନଫ୍ରାଷ୍ଟକଚର ଓ ମାନବ ସମ୍ବଳର ଅଭାବ, ତଳସ୍ତରରେ ଅମାନବୀୟ ସ୍ଥିତି, ଅତ୍ୟାଧୁନିକ ଯନ୍ତ୍ରପାତିର ଅଭାବ, ସନ୍ଦିଗ୍ଧ ଉପାୟରେ ପ୍ରମାଣ ସଂଗ୍ରହ, ନିୟମ ପୁସ୍ତକକୁ ଅନୁସରଣ କରିବାରେ ବିଫଳ ହେଉଛି । ସେହିପରି ଅଧିକାରୀଙ୍କ ଉତ୍ତରଦାୟିତ୍ୱ ଅଭାବ ହେଉଛି ପୋଲିସକୁ ପ୍ରଭାବିତ କରୁଥିବା ମୁଖ୍ୟ ପ୍ରସଙ୍ଗ।

ସିଜେଆଇ ରମନ୍ନା କହିଛନ୍ତି, ଦୁର୍ନୀତି ଅଭିଯୋଗକୁ ନେଇ ପୋଲିସର ଭାବମୂର୍ତ୍ତି ଖରାପ ହୋଇଛି। ଅନେକ ସମୟରେ ପୁଲିସ ଅଧିକାରୀମାନେ ଆମ ସହ ଯୋଗାଯୋଗ କରନ୍ତି, ସରକାର ବଦଳିବା ପରେ ସେମାନଙ୍କୁ ହଇରାଣ କରାଯାଉଛି । ଜନ ପ୍ରତିନିଧିମାନେ ବଦଳିବେ କିନ୍ତୁ ପୁଲିସ ଏବଂ ତଦନ୍ତକାରୀ ସଂସ୍ଥା ସବୁବେଳେ ରହିବେ। ସାମାଜିକ ବୈଧତାର ଆବଶ୍ୟକତା ରହିଛି ଏବଂ ଏହା ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ମେଣ୍ଟ ଭାଙ୍ଗିବା ଦ୍ୱାରା ସମ୍ଭବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ପଚାଶ ବର୍ଷରୁ ଅଧିକ ସମୟ ଧରି ପୋଲିସ ସଂସ୍କାର ସରକାରଙ୍କ ଏଜେଣ୍ଡାରେ ରହିଛି ଏବଂ ଏଯାଏ କିଛି ହୋଇନାହିଁ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.