Latest Odisha News

BREAKING NEWS

କଂଗ୍ରେସରୁ ଇସ୍ତଫା ଦେଲେ ଜର୍ଜ ତିର୍କି

ସୁନ୍ଦରଗଡ: ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଆଦିବାସୀ ନେତା ଜର୍ଜ ତିର୍କି । ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫା ପଛର କାରଣ ନିର୍ବାଚନ ବେଳେ ଦଳୀୟ ନେତାଙ୍କ ଅସହଯୋଗ ଏବଂ ରାଜ୍ୟ ନେତୃତ୍ୱ ନିଷ୍କ୍ରିୟ ରହିବା କଥା ସେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ନିର୍ବାଚନ ବେଳେ ଦଳକୁ ମଜବୁତ କରିବା ପାଇଁ ପିସିସିଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ କେହି ଶୁଣିଲେନି । ଯାହାର ପରିଣାମ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ପ୍ରତିଫଳିତ ହୋଇଛି । ରାଜ୍ୟ ନେତୃତ୍ୱକୁ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଇଛି ହେଲେ କିଛି ଉତ୍ତର ଆସିଲାନି । ତେଣୁ ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ଦ୍ୱାରା ଅପମାନିତ ହୋଇଛନ୍ତି ବୋଲି ତିର୍କି ଉଲ୍ଲେଖ କରିଛନ୍ତି । ଏହାବାଦ ଦଳରେ ବଢୁଥିବା ଅସନ୍ତୋଷ କଥାକୁ ମଧ୍ୟ ତିର୍କି ଉଲ୍ଲେଖ କରିଛନ୍ତି। ଏ ସଂକ୍ରାନ୍ତରେ ସେ ପିସିସି ଓ ଏଆଇସିସିଙ୍କୁ ବାରମ୍ବାର ଅବଗତ କରାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି।

ପୂର୍ବତନ ବ୍ୟାଙ୍କ କର୍ମଚାରୀ ଜର୍ଜ ୧୯୯୫ ଓ ୨୦୦୦ରେ ଜେଏମ୍ଏମ୍ ଟିକେଟରେ ବୀରମିତ୍ରପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୦୨ରେ ସେ ବିଜେଡିରେ ଯୋଗ ଦେଇଥିଲେ। କିନ୍ତୁ ୨୦୦୪ରେ ଦଳ ଟିକେଟ୍ ନଦେବା ପରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୦୯ଓ ୨୦୧୪ରେ ସେ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୩ରେ ନିଜ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସମତା କ୍ରାନ୍ତି ଦଳରୁ ବିଧାୟକ ହୋଇଥିଲେ। ଏହାପରେ ୨୦୧୭ ଡିସେମ୍ବରରେ ଜେଏମ୍ଏମକୁ ଫେରିଥିଲେ ତିର୍କି ଏବଂ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ହଠାତ ସେ କଂଗ୍ରେସରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ତିର୍କି ଦଳରୁ ଇସ୍ତଫା ଦେବା ପରେ ସୁନ୍ଦରଗଡ ଜିଲ୍ଲାରେ କଂଗ୍ରେସର ନେତୃତ୍ୱ କିଏ ନେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ତିର୍କି ଆଦାବାସୀ ନେତା ଭାବେ ପରିଚିତ । ସେ ରାଜ୍ୟର ଜଣେ ବରିଷ୍ଠ ନେତା । ଯେତେବେଳେ ନେତା ବିଜେଡି, ବିଜେପି ଟିକେଟରେ ବିଜୟୀ ହୋଇ ବିଧାନସଭାରେ ପ୍ରବେଶ କରନ୍ତି ସେତେବଳେ ତିର୍କି ସ୍ୱାଧୀନ ଭାବେ ବିଜୟୀ ହୋଇ ଅନେକଙ୍କ ପାଇଁ ଉଦାହରଣ ସାଜିଥିଲେ। ରାଜ୍ୟ ରାଜନୀତିର ଏହି ଭେଟେରାନ ଆଦିବାସୀ ନେତା କେଉଁ ଦଳରେ ସାମିଲ ହେବେ ସେ ନେଇ କୌଣସି ସୂଚନା ମିଳିନାହିଁ । କଂଗ୍ରେସରେ ରହି ତିର୍କି ରାଜ୍ୟ ରାଜନୀତିରୁ ଦୂରେଇ ରହିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.