ଧନୀଲୋକ ବାୟୁ ପ୍ରଦୂଷଣ ସୃଷ୍ଟି କରନ୍ତି, ଗରିବ ପ୍ରଭାବିତ ହୁଅନ୍ତି: ଦିଲ୍ଲୀ ବିଷାକ୍ତ ବାୟୁକୁ ନେଇ ସିଜେଆଇଙ୍କ ଟିପ୍ପଣୀ
ନୂଆଦିଲ୍ଲୀ: ଦିଲ୍ଲୀ ଏନ୍ସିଆରରେ ବିପଦଜନକ ସ୍ତରରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ। ଦିଲ୍ଲୀରେ ପ୍ରଦୂଷଣ ଆହୁରି ଖରାପ ହେଉଛି, ରାଜଧାନୀର AQI ୬୦୦ ଅତିକ୍ରମ କରିଛି। ରାଜଧାନୀ ବାସିନ୍ଦା ଏହା ସହିତ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଚିନ୍ତିତ ଅଛନ୍ତି। ଗତ ଦୁଇ ମାସ ଧରି ଏହି ପରିସ୍ଥିତି ଜାରି ରହିଛି। ବିଷାକ୍ତ ବାୟୁକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ସୋମବାର ଦିନ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି ଯେ ଡିସେମ୍ବର ୧୭ ତାରିଖରେ ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ବାୟୁ ପ୍ରଦୂଷଣ ସ୍ତର ସମ୍ପର୍କିତ ଏକ ଆବେଦନର ଶୁଣାଣି କରାଯିବ।
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ନ୍ୟାୟମୂର୍ତ୍ତି ଜୟମାଲ୍ୟ ବାଗଚୀ ଓ ନ୍ୟାୟମୂର୍ତ୍ତୀ ବିପୁଲ ଏମ୍ ପାମଚୋଲିଙ୍କ ଖଣ୍ଡପୀଠ ବରିଷ୍ଠ ଆଇନଜୀବି ଅପରାଜିତା ସିଂହଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ଯିଏକି ଆମିକସ୍ କ୍ୟୁରୀ (ନ୍ୟାୟ ମିତ୍ର) ରୂପରେ କୋର୍ଟଙ୍କ ସହାୟତା କରୁଛନ୍ତି। ଶୁଣାଣି ବେଳେ କୋର୍ଟରେ ଅପରାଜିତା ସିଂହ କହିଥିଲେ, ଯେଉଁ ପର୍ଯ୍ୟନ୍ତ କୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇ ନାହାନ୍ତି, ସେ ଯାଏଁ ରାଜ୍ୟ ସରକାର ପ୍ରଦୂଷଣ ମୁକାବିଲା ପାଇଁ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରୋଟୋକଲ୍ ମଧ୍ୟ ରହିଛି, କିନ୍ତୁ ଏହାର ପାଳନ ହେଉଛି।
ଗତ ମାସରେ ସୁପ୍ରିମକୋର୍ଟ ଡିସେମ୍ବର-ଜାନୁଆରୀ ଭିତରେ କ୍ରୀଡା ଉପରେ ରୋଗ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବି ବିଭିନ୍ନ ସ୍ଥାନରେ ଖେଳ ଆୟୋଜନ କରାଯାଉଛି। କୋର୍ଟଙ୍କ ନିର୍ଦ୍ଦେଶକୁ ପଛରେ ପକାଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉପାୟ ଗ୍ରହଣ କରାଯାଇଛି। ବାସ୍ତବିକ ସ୍ତରରେ ସ୍ଥିତିରେ କୌଣସି ସୁଧାର ହେଉନାହିଁ। ସିଜେଆଇ କହିଛନ୍ତି, କିଛି ନିର୍ଦେଶ ଏଭଳି ରହିଛି,ଯାହାକୁ ବଳପୂର୍ବକ ଲାଗୁ କରିବାକୁ ପଡିଥାଏ, କିନ୍ତୁ ମହାନଗରରେ ଲୋକଙ୍କ ଜୀବନଶୈଳୀକୁ ବଦଳିବା ସହଜ ନୁହେଁ। ଧନୀ ଲୋକଙ୍କ ଅପେକ୍ଷା ଗରିବମାନେ ପ୍ରଦୂଷଣରେ ଅଧିକ ପ୍ରଭାବିତ ହୋଇଥାନ୍ତି। ପ୍ରଦୂଷଣ ସୃଷ୍ଟି କରିବା ପଛରେ ସବୁବେଳେ ଧନୀ ଲୋକଙ୍କର ଭୂମିକା ରହିଥାଏ। ଆମିକସ କ୍ୟୁରୀ ଅପରାଜିତା ସିଂହ ଏଥିରେ ମଧ୍ୟ ସହମତି ପ୍ରକାଶ କରିଛନ୍ତି।
Comments are closed.