Latest Odisha News

BREAKING NEWS

ବାଘ ମୃତ୍ୟୁ ସମ୍ବାଦ ଉପରେ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ଗଣମାଧ୍ୟମରେ ପ୍ରକାଶିତ ଖବର ଏକତରଫା ଓ ଭିତ୍ତିହୀନ

ନୂଆଦିଲ୍ଲୀ: ନିକଟରେ ଦେଶର କେତେକ ଗଣମାଧ୍ୟମରେ ବାଘ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶିତ ହେଉଛି । ଏହାର ତଥ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନୋଟିସରେ ଦର୍ଶାଯାଇଛି ଯେ, ଏଗୁଡିକ ଯେପରିଭାବେ ପ୍ରକାଶିତ ହୋଇଛି ତାହା ଏକତରଫା ଓ ଘଟଣାକୁ ଅଯଥା ଚାଞ୍ଚଲ୍ୟକର କରିବା ସହ ଏଦିଗରେ ସରକାରଙ୍କ ପ୍ରଚେଷ୍ଟାର ଉପହାସ କରାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଏ ସଂକ୍ରାନ୍ତରେ କେତେକ ତଥ୍ୟ ରଖିଛି ।

ଭାରତ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଫଳରେ ବାଘଙ୍କ ବଂଶବୃଦ୍ଧି ଘଟିବାରେ ଲାଗିଛି । ଯାହା ୪ ବର୍ଷିଆ ବ୍ୟାଘ୍ର ଗଣନାର ଫଳାଫଳରୁ ଏହା ପ୍ରମାଣିତ ହୋଇଛି । ୨୦୦୬, ୨୦୧୦, ୨୦୧୪ ଏବଂ ୨୦୧୮ରେ ଏହି ଗଣନା କରାଯାଇଥିଲା । ଗଣନାର ଫଳାଫଳରୁ ଜଣାଯାଇଛି ଯେ, ବ୍ୟାଘ୍ରଙ୍କ ସଂଖ୍ୟାରେ ଶତକଡା ୬ ଭାଗ ବୃଦ୍ଧି ଘଟିଛି । ୨୦୧୨ରୁ ୨୦୧୯ ମଧ୍ୟରେ ଦେଶରେ ହାରାହାରି ବର୍ଷକୁ ୪୯ଟି ବାଘର ମୃତ୍ୟୁ ଘଟିଛି । ତେବେ ବ୍ୟାଘ୍ର ସଂରକ୍ଷଣ ଯୋଗୁଁ ଘଟିଥିବା ସଂଖ୍ୟା ବୃଦ୍ଧି ଏହି ମୃତ୍ୟୁ ହାରକୁ ଭରଣା କରିବାରେ ସହାୟକ ହୋଇଛି ବୋଲି କୁହାଯାଇଛି ।
ଏନଟିସିଏ ପ୍ରୋଜେକ୍ଟ ଟାଇଗର ଅଧୀନରେ ବ୍ୟାଘ୍ର ସଂରକ୍ଷଣ ପାଇଁ ଅନେକଗୁଡିଏ ପଦକ୍ଷେପ ନେଇଛି, ଯାହାଫଳରେ କି, ବେଆଇନ ଶିକାର ନିୟନ୍ତ୍ରିତ ହୋଇପାରିଛି ।
ଏନଟିସିଏ ଗଣନାରେ ସଂପୂର୍ଣ୍ଣ ସ୍ଵଚ୍ଛତା ରକ୍ଷା କରି ଏହାର ୱେବସାଇଟwww.tigernet.nic.in ଜରିଆରେ ମୃତ୍ୟୁ ସଂଖ୍ୟାକୁ ସଠିକ ଭାବେ ଦର୍ଶାଇଛି । ଗତ ୮ ବର୍ଷର ତଥ୍ୟକୁ ଅନୁଶୀଳନ କଲେ ଦେଖାଯାଏ ଯେ, ଭାରତରେ ଶତକଡା ୬୦ ଭାଗ ବାଘ ମୃତ୍ୟୁ ବେଆଇନ ଶିକାର ଯୋଗୁଁ ହୋଇନାହିଁ ।

ଗଣମାଧ୍ୟମରେ ପ୍ରକାଶିତ ଖବରରେ ଏନଟିସିଏ ୱେବସାଇଟରେ ଉପଲବ୍ଧ ସଂଖ୍ୟା ଏବଂ ଆରଟିଆଇ ଉତ୍ତରର ତଥ୍ୟ ଦିଆଯାଇଥିଲେ ମଧ୍ୟ ଯେଉଁଭଳି ଭାବେ ଏହାକୁ ଉପସ୍ଥାପିତ କରାଯାଇଛି ତାହା ଏନଟିସିଏ ଦ୍ଵାରା ସଞ୍ଚାଳିତ କେନ୍ଦ୍ରୀୟ ପ୍ରୋଜେକ୍ଟ ଟାଇଗର ଯୋଜନାର ବିଭିନ୍ନ ବୈଷୟିକ ତଥ୍ୟକୁ ବିରୁଦ୍ଧାଚରଣ କରୁଥିବା କୁହାଯାଇଛି ।
ସେ ଦୃଷ୍ଟିରୁ ଅଯଥା ଚାଞ୍ଚଲ୍ୟକର ଖବର ପ୍ରସାରଣ ନକରିବା ତଥା ଏହି ଗୁଜବକୁ ବିଶ୍ୱାସ ନକରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.