ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ସମ୍ପର୍କ ଖରାପ ହେବାରେ ଲାଗିଛି । ଏହାର ପ୍ରଭାବ ଏବେ କ୍ରୀଡା କ୍ଷେତ୍ରରେ ପଡିଛି । ଆଇପିଏଲ ୨୦୨୬ରୁ ମୁସ୍ତାଫିଜୁର ରେହମାନଙ୍କୁ ବାହାର କରିବା ପାଇଁ ଭାରତ ସରକାର ବିସିସିଆଇ ଆଦେଶ ଦେଇଥିଲା । ବିସିସିଆଇ କେକେଆରକୁ କହି ମୁସ୍ତାଫଜିୁରଙ୍କୁ ବାହାର କରିଦେଇଛି । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଏବେ ବାଂଲାଦେଶ ବୋର୍ଡ ଆଇପିଏଲ ପ୍ରସାରଣ ବନ୍ଦ କରିବା ଏବଂ ବିଶ୍ୱକପ ଖେଳିବା ପାଇଁ ଆସିବ ନାହିଁ ବୋଲି କହିଛି । ତେବେ ବିସିସିଆଇ ସହିତ ମୁହାଁମୁହିଁ ହେବା ବାଂଲାଦେଶ ବୋର୍ଡକୁ କ୍ଷତିରେ ପକାଇବ ବୋଲି ଅନୁମାନ କରାଯାଉଛି । ଭାରତ ଦ୍ୱିପାକ୍ଷିକ ସିରିଜ ବାତିଲ କଲେ ବାଂଲାଦେଶର କୋଟି କୋଟି ଟଙ୍କାର କ୍ଷତି ହେବ ।
ସେହିପରି ଆଗକୁ ବିିସିସିଆଇ ପାକିସ୍ତାନ ପରି ବାଂଲାଦେଶ ଖେଳାଳିଙ୍କ ଉପରେ ଆଇପିଏଲ ଖେଳିବା ନେଇ ସମ୍ପୂର୍ଣ୍ଣ ଭାବେ କଟକଣା ଲଗାଇପାରେ । ଯାହାର ପ୍ରଭାବ ନିଶ୍ଚିତ ଭାବେ ବାଂଲାଦେଶ ଯୁବ ଖେଳାଳିଙ୍କ ଉପରେ ପଡିବ । ଅନେକ ବିଦେଶୀ ଲିଗରେ ମଧ୍ୟ ଆଇପିଏଲ ଫ୍ରାଂଚାଇଜ ଟିମ କିଣିଛନ୍ତି । ସେହି ଟିମଗୁଡିକରେ ମଧ୍ୟ ବାଂଲାଦେଶ ଖେଳାଳିଙ୍କୁ ବାହାର କରିବା ସମ୍ଭାବନା ରହିଛି । ଆଇସିସିରେ ଏବେ ବିିସିସିଆଇର ପ୍ରଭୂତ୍ୱ ରହିଛି । ଏହାର ଚେୟାର ମ୍ୟାନ(ଜୟ ଶାହ) ଓ ସିଇଓ (ସଂଯୋଗ ଗୁପ୍ତା) ଭାରତୀୟ ହୋଇଥିବାରୁ ବାଂଲାଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ।
ଆଇସିସି ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀରେ ପରିବର୍ତନ କରି ବାଂଲାଦେଶକୁ ବାଦ ମଧ୍ୟ ଦେଇପାରେ । ଏପରିକି ବାର୍ଷିକ ଆୟ ମଧ୍ୟ ବାଂଲାଦେଶ ହରାଇପାରେ । ବାଂଲାଦେଶ ବୋର୍ଡ ଆୟ ଦୃଷ୍ଟିକୋଣରୁ ଭାରତଠାରୁ ବହୁତ ପଛରେ ରହିଛି । ବିସିସିଆଇ ସହ ମୁହାଁମୁହିଁ ହେବା ସେମାନଙ୍କୁ ନିଶ୍ଚିତ ଭାବେ କ୍ଷତିରେ ପକାଇପାରେ ।