କଟକ: କଟକ ଦରଘା ବଜାରରେ ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣା । ଆସନ୍ତାକାଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି । ଗଣ୍ଡଗୋଳ ଘଟଣା ପାଇଁ ପରିଷଦ ପକ୍ଷରୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି ।
ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଭସାଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୀତ ବଜାଇବାକୁ ବିରୋଧ କରି କାଚ ଓ ପଥର ମାଡ କରାଯାଇଥିବା ସୂଚନା ରହିଛି । ଏହି ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି । ଏମାନଙ୍କ ସହ କଟକ ଡିସିପି ରିଷିକେଶ ଖିଲାରୀ ମଧ୍ୟ ଆହାତ ହୋଇଛନ୍ତି ।
ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ତା’କୁ ଅତିକ୍ରମ କରି ଆଗକୁ ଯାଇଥିଲା । ରାଉସାପାଟଣା ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ। ସୁରକ୍ଷା ପାଇଁ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୁତୟନ ହୋଇଥିଲେ ।
ଏଭଳି ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କୁ ଚିହ୍ନଟ କରାଯାଇଛି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ଥିତି ଏବେ ସ୍ବାଭାବିକ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।
Comments are closed.