Latest Odisha News

BREAKING NEWS

‘ଡମି ସ୍କୁଲ’ ପିଲା ଦେଇପାରିବେନି +୨ ପରୀକ୍ଷା

ନୂଆଦିଲ୍ଲୀ: ‘ଡମି ସ୍କୁଲ’ରେ ପାଠ ପଢୁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ବଡ ଝଟକା । ଦେଇପାରିବେନି +୨ ପରୀକ୍ଷା । ସିବିଏସ୍ଇ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ଡମି ସ୍କୁଲରେ ଶିକ୍ଷା ଲାଭ କରୁଥିବା ଛାତ୍ରମାନଙ୍କୁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ହାଜର ହେବାକୁ ଦିଆଯିବ ନାହିଁ । ଏନେଇ ଜଣେ ସିବିଏସ୍ଇ ଅଧିକାରୀ କହିଛନ୍ତି, ‘ଡମି ସ୍କୁଲ’ରେ ପାଠ ପଢୁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ହାଜର ହେବାକୁ ଅନୁମତି ଦିଆଯାଇପାରିବ ନାହିଁ ।

ତେବେ ଗତ ବର୍ଷ ଡିସେମ୍ବରରେ, ସିବିଏସ୍ଇ ଦିଲ୍ଲୀ, ବେଙ୍ଗାଲୁରୁ, ବାରାଣାସୀ, ବିହାର, ଗୁଜୁରାଟ ଏବଂ ଛତିଶଗଡର ୨୯ଟି ବିଦ୍ୟାଳୟରେ ଯାଞ୍ଚ  କରିବା ପରେ ଡମି ଆଡମିଶନ ଭଳି ଏକ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ଏହାପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦିଲ୍ଲୀ ଏବଂ ରାଜସ୍ଥାନର ୨୭ଟି ବିଦ୍ୟାଳୟକୁ ଡମି ଆଡମିଶନ ସମ୍ପର୍କରେ ନୋଟିସ୍ ଜାରି କରିଥିଲା ।

ତେବେ କ’ଣ ଏହି ଡମି ସ୍କୁଲ ?

ଇଞ୍ଜିନିୟରିଂ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ଅନେକ ଛାତ୍ର ଡମି ବିଦ୍ୟାଳୟରେ ଆଡମିଶନ ନେବାକୁ ପସନ୍ଦ କରନ୍ତି । ଯାହା ଦ୍ବାରା ସେମାନେ କେବଳ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ । ଏଥିରେ ସେମାନେ କଲେଜ ଯାଆନ୍ତି ନାହିଁ କି କ୍ଲାସ୍ କରନ୍ତି ନାହିଁ । ସେମାନେ ସିଧାସଳଖ ବୋର୍ଡ ପରୀକ୍ଷା ପାଇଁ ଉପସ୍ଥିତ ହୁଅନ୍ତି । ଏହିପରି ଛାତ୍ରମାନଙ୍କ ପାଇଁ କ୍ଲାସ୍ ଉପସ୍ଥାନ ଆବଶ୍ୟକ ନଥାଏ ।

ଗତ ମାସରେ, ଶିକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଦେଇଥିଲା ଯେ ଡମି ଆଡମିସନ୍ ନେଉଥିବା ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଯାହା ଭବିଷ୍ୟତରେ ମଧ୍ୟ ଜାରି ରହିବ । ଯାହାକୁ ନେଇ ସିବିଏସ୍ଇ ସ୍ପଷ୍ଟ କରିଥିଲା ଯେ, ବୋର୍ଡ ପରୀକ୍ଷା ପାଇଁ ନିୟମିତ ବିଦ୍ୟାଳୟକୁ ଆସିବା ଏବଂ ସର୍ବନିମ୍ନ ଉପସ୍ଥାନ ରହିବା ଆବଶ୍ୟକ ।

ସେପଟେ ଏହାକୁ ଏକ ବଡ ଉତ୍କଟ ସମସ୍ୟା କହିଛି ଶିକ୍ଷା ମନ୍ତ୍ରାଳୟ । ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସମୟ ସମୟରେ ଉପସ୍ଥାନ ସମ୍ବନ୍ଧୀୟ ନିୟମାବଳୀ ପାଳନ କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଦିଆଯାଏ । ସେଗୁଡିକୁ ସେ ଠିକ୍ ଭାବରେ ପାଳନ କରୁଛନ୍ତି ନା ନାହିଁ,  କିମ୍ବା ଯଦି କୌଣସି ବିଦ୍ୟାଳୟର ତଥ୍ୟରେ କୌଣସି ଅସ୍ୱାଭାବିକତା ଦେଖାଯାଏ, ତେବେ ଏହାକୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥାଏ । ଏଥିସହିତ ସିବିଏସ୍ଇ ଦଳ ଦ୍ୱାରା ବିଦ୍ୟାଳୟ ଯାଞ୍ଚ କରାଯାଇଥାଏ । ଯାହା ଆଧାରରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହି ଯାଞ୍ଚରେ ଏବେ ଦେଶରେ ଡମି ଆଡମିଶନ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଅଧିକାଂଶ ଏହା ଦେଖାଯାଏ ଯେ, ନବମ ଶ୍ରେଣୀରୁ ହିଁ  ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ପରିବର୍ତ୍ତେ ଇଞ୍ଜିନିୟରିଂ ଏବଂ ଚିକିତ୍ସା ପ୍ରସ୍ତୁତି ପାଇଁ କୋଚିଂ ସେଣ୍ଟରକୁ ଯିବା ଆରମ୍ଭ କରିଦେଉଛନ୍ତି । ଯାହାକୁ ଦୂର କରିବା ପାଇଁ ଏବେ ଏଭଳି କିଛି ପଦକ୍ଷେପନ ଗ୍ରହଣ କରିଛି ସିବିଏସଇ ।

Comments are closed.