Latest Odisha News

BREAKING NEWS

ଅଭାବନୀୟ: ସ୍କୁଲ ପାଇଁ ଛାତ୍ରଙ୍କୁ ଦେଇଦେଲେ ବଳି

ହାଥରସ: ଇଂଟରନେଟ ଯୁଗରେ ଭୟଙ୍କର ଅନ୍ଧବିଶ୍ୱାସ । ଆଜି ବି ଗୁଣିଗାରେଡି, ତନ୍ତ୍ରମନ୍ତ୍ର ଓ କଳାଯାଦୁ ଉପରୁ ଉଠିନାହିଁ ବିଶ୍ୱାସ । ଶିକ୍ଷିତ, ପାଠୁଆମାନେ ବି ଅନ୍ଧବିଶ୍ୱାସର ମାୟାଜାଲରୁ ମୁକୁଳି ପାରୁନାହାନ୍ତି । ଗୁଣିଗାରେଡି, କୁହୁକ ବିଦ୍ୟା ଓ କଳାଯାଦୁର ଭୟଙ୍କର ପରିଣତି ଦେଖିବାକୁ ମିଳୁଛି । ଉତ୍ତର ପ୍ରଦେଶର ହାଥରସରେ ସାମନାକୁ ଆସିଛି ଅନ୍ଧବିଶ୍ୱାସର କୁପରିଣତି । ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ବଳି ଦିଆଯାଇଛି ।

ଛାତ୍ର ବଳି ପଛରେ ଭୟଙ୍କର ଅନ୍ଧବିଶ୍ୱାସ

ଉତ୍ତର ପ୍ରଦେଶ ହାଥରସରେ ଚାଂଚଲ୍ୟ । ଏଠାରେ ଘଟିଛି ଅତି ଅମାନବୀୟ ଓ କୁତ୍ସିତ ଘଟଣା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ବର୍ବର କାଣ୍ଡ ଘଟାଇଛନ୍ତି କିଛି ଲୋକ । ପୋଲିସ କହିବା ଅନୁସାରେ ଏକ ସ୍କୁଲରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ବଳି ଦିଆଯାଇଛି । ତଥାକଥିତ ବ୍ଲାକ ମ୍ୟାଜିକ ବା କଳା ଯାଦୁ ରୀତିନୀତିରେ ଜଣେ କୋମଳମତି ସ୍କୁଲ ଛାତ୍ରଙ୍କୁ ବଳି ଦିଆଯାଇଛି । ସ୍କୁଲର ସଫଳତା ଓ ଖ୍ୟାତି ପାଇଁ ବ୍ଲାକ୍ ମ୍ୟାଜିକ୍ ଉପରେ ବିଶ୍ୱାସ କରିଥିଲେ ସ୍କୁଲର ନିର୍ଦ୍ଦେଶକ ଓ କିଛି ଶିକ୍ଷକ । ଆଉ ଏଥିପାଇଁ ନରବଳି ଦେବାକୁ ପଛାଇ ନାହାନ୍ତି । ହାଥରସ ଜିଲ୍ଲା ସାହପାଉ ଥାନା ରସଗୱାନରେ ଘଟିଛି ଏହି ଘଟଣା । ଛାତ୍ରଙ୍କୁ ବଳି ଦିଆଯାଇଥିବା ଅଭିଯୋଗରେ ସ୍ଥାନୀୟ ଡିଏଲ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଓ ତିନି ଜଣ ଶିକ୍ଷକଙ୍କ ସମେତ ୫ ଜଣଙ୍କୁ ବାନ୍ଧିଛି ପୋଲିସ । ଏ ସପ୍ତାହ ପ୍ରାରମ୍ଭରେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିଲା । ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା । ଡିଏଲ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଦିନେଶ ବାଘେଲ, ତାଙ୍କ ବାପା ଯଶୋଧନ ସିଂହ ଓ ତିନି ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୫ ଅଭିଯୁକ୍ତ ଆଉ ଜଣେ ଛାତ୍ରଙ୍କୁ ମଧ୍ୟ ବଳି ଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ସଫଳ ହୋଇନଥିଲେ ବୋଲି ସୂଚନା ଦେଇଛି ପୋଲିସ ।

ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରୁଥିଲେ ସ୍କୁଲ ନିର୍ଦ୍ଦେଶକଙ୍କ ବାପା

ପୋଲିସର ଯାଂଚରୁ ଅନେକ ଲୋମହର୍ଷକ ତଥ୍ୟ ମିଳିିଛି । ଡିଏଲ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଦିନେଶ ବାଘେଲଙ୍କ ବାପା ଯଶୋଧନ ତନ୍ତ୍ରମନ୍ତ୍ରରେ ବିଶ୍ୱାସ ରଖନ୍ତି । ଜଣେ ଛାତ୍ରଙ୍କୁ ବଳି ଦେଲେ ସ୍କୁଲ ପାଇଁ ତାହା ଲାଭପ୍ରଦ ହେବା ସହ ଖ୍ୟାତି ବଢିବ ବୋଲି ଯଶୋଧନ ପ୍ରସ୍ତାବ ରଖିଥିଲେ । ତାଙ୍କ ପୁଅ ଓ ତିନି ଜଣ ଶିକ୍ଷକ ପ୍ରସ୍ତାବରେ ରାଜି ହୋଇଥିଲେ । ବଳି ପାଇଁ ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ପୁଅକୁ ବଛାଯାଇଥିଲା ବୋଲି ପୋଲିସ କହିଛି । ସଫ୍ଟୱେୟାର ଇଞ୍ଜିନିୟର ଦିଲ୍ଲୀର ଏକ କମ୍ପାନିରେ ଚାକିରି କରନ୍ତି ।

ହଷ୍ଟେଲରେ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା

ଡିଏଲ ପବ୍ଲିକ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା । ଶ୍ୱାସରୁଦ୍ଧ କରାଯାଇ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଛାତ୍ର ଜଣଙ୍କୁ ହଷ୍ଟେଲ ବେଡ୍‌ର ନିସ୍ତେଜ ଭାବେ ପଡିରହିଥିବା ଦେଖିଥିଲେ ଜଣେ ଷ୍ଟାଫ୍ ଓ କିଛି ଛାତ୍ର । ସ୍କୁଲ ନିର୍ଦ୍ଦେଶକ ଦିନେଶ ଛାତ୍ରର ମୃତଦେହ କାରରେ ରଖି କିଛି ଘଂଟା ବାହାରେ ବୁଲିଥିଲା । ଛାତ୍ର ଜଣଙ୍କ ଅସୁସ୍ଥ ଅଛନ୍ତି ବୋଲି ବାପାମାଆଙ୍କୁ ସୂଚନା ଦିଆଯାଇଥିଲା । ହେଲେ ହଷ୍ଟେଲରେ ପହଂଚି ପୁଅକୁ ନ ପାଇବାରୁ ପୋଲିସକୁ ଖବର ଦେଇଥିଲେ ବାପା । ଧରପଗଡ ବେଳେ ସ୍କୁଲ ଛାତ୍ରଙ୍କ ମୃତଦେହ ଦିନେଶଙ୍କ କାର୍ ଭିତରୁ ଜବତ କରିଥିଲା ପୋଲିସ । ଗିରଫ ସବୁ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ଛାତ୍ର ବଳି ଘଟଣା । ସ୍କୁଲର ଖ୍ୟାତି ପାଇଁ ଜଣେ ଛାତ୍ରଙ୍କୁ ବଳି ଦେବା ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି ଲୋକେ ।

 

 

Leave A Reply

Your email address will not be published.