ରାଜସ୍ଥାନ: ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ଧୁମ୍ଧାମ୍ରେ ପାଳନ କରାଯାଉଛି ରାବଣପୋଡ଼ି ଉତ୍ସବ । ଏହିଦିନ ଶ୍ରୀରାମ ରାବଣକୁ ମାରି ଦୁନିଆରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ସେବେଠାରୁ ଆମେ ବିଜୟାଦଶମୀରେ ରାବଣପୋଡି ଉତ୍ସବ ପାଳନ କରିଥାଉ । ରାବଣର କୁଶପୁତ୍ତଳିକା ପ୍ରସ୍ତୁତ କରି ସେଥିରେ ଅଗ୍ନି ସଂଯୋଗ କରି ଆମେ ବିଜୟର ଉତ୍ସବକୁ ବହୁ ଧୁମଧାମରେ ପାଳନ କରୁ । କିନ୍ତୁ ଏମିତି ଏକ ସ୍ଥାନ ଅଛି ଯେଉଁଠି ନିଆଁରେ ନୁହେଁ, ରାବଣର ମୁହଁକୁ ପାଦରେ ଦଳି କରାଯାଇଥାଏ ବଧ । ଏପରି ନିଆରା ପରମ୍ପରା ଦେଖିବାକୁ ମିଳେ ରାଜସ୍ଥାନର କୋଟାରେ ।
ଦଶହରା ଉତ୍ସବ ଉପଲକ୍ଷେ ରାଜସ୍ଥାନର କୋଟାରେ ଏକ ନିଆରା ପରମ୍ପରାରେ ରାବଣପୋଡି କରାଯାଇଥାଏ । କୋଟାର ନାନ୍ତା ଅଞ୍ଚଳରେ ମାଟିରେ ଏକ ରାବଣ ତିଆରି କରାଯାଇଥାଏ । ସେହି ରାବଣକୁ ନିଆଁରେ ନୁହେଁ ପାଦରେ ଦଳି ଦଳି ରାବଣପୋଡିର ପରମ୍ପରା ପାଳନ କରାଯାଏ । ଏହି ପ୍ରଥା ଏଠାରେ ୧୫୦ ବର୍ଷ ଧରି ଚାଲିଆସୁଛି । ସହରର ଜେଠି ସମ୍ପ୍ରଦାୟର(ଗୁଜୁରାଟୀ) ଲୋକ ଏହି ପରମ୍ପରାକୁ ପାଳନ କରୁଛନ୍ତି । ସେମାନେ ଆଖଡାର ମାଟି ନେଇ ରାବଣ ପ୍ରସ୍ତୁତ କରିଥା’ନ୍ତି । ସେହି ରାବଣକୁ ବିଜୟା ଦଶମୀ ଦିନ ପାଦରେ ଦଳି ବିଜୟର ଉତ୍ସବକୁ ପାଳନ କରିଥା’ନ୍ତି । ଏହି ପରମ୍ପରାକୁ ଦେଖିବାକୁ ଦେଶର ବିଭିନ୍ନ କୋଣରୁ ହଜାର ହଜାର ଲୋକ କୋଟାରେ ଭିଡ଼ ଜମାଇଥାନ୍ତିି ।
ନବରାତ୍ରୀ ସମୟରେ ହିଁ ମାଟିରେ ରାବଣ ନିର୍ମାଣ କରାଯାଏ । ମାଟିର ଏକ ବଡ ଚଟାଣରେ ରାବଣର ମୁହଁ ତିଆରି କରାଯାଏ । ନିର୍ମାଣ ସମୟରେ ଏଥିରେ ୯ଦିନ ଯାଏଁ ବିହନ ବୁଣାଯାଏ । ଦଶହରା ଦିନ ସେହି ମାଟିରେ ଗଛ ଉଠିଯାଇଥାଏ । ସେହି ଛୋଟ ଛୋଟ ଗଛକୁ ମାଆ ଦୁର୍ଗାଙ୍କୁ ଅର୍ପଣ କରାଯାଏ । ଏହାପରେ ଜେଠି ସମ୍ପ୍ରଦାୟର କୁସ୍ତି ଯୋଦ୍ଧାମନେ ରାବଣ ଉପରେ କୁସ୍ତି ଖେଳିଥା’ନ୍ତି । କୁସ୍ତି ଖେଳିବା ସମୟରେ ରାବଣକୁ ପାଦରେ ଦଳି ନଷ୍ଟ କରିଥାନ୍ତି । ଏହି ପରମ୍ପରାରେ ରାବଣ ମୂର୍ତ୍ତିକୁ ପାଦରେ ଦଳିବା ଦ୍ୱାରା ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ବୋଲି ବିବେଚନା କରାଯାଏ ।
Comments are closed.