Latest Odisha News

BREAKING NEWS

କିମ୍‍ସ କ୍ୟାନସର୍‍ ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ୍‍ ସେବା

ଭୁବନେଶ୍ୱର: କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୧୪ ତାରିଖଠାରୁ ଆରମ୍ଭ ହୋଇଛି କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ରେଡିଏସନ୍‍ ଅଙ୍କୋଲୋଜି କ୍ଲିନିକାଲ ସେବା । ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ ସେବା ହୋଇପାରିବ । କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟର(କେସିସି)ରେ ସମସ୍ତ ପ୍ରକାର କର୍କଟ ରୋଗର ବହୁବିଧ ଉପଚାର ନିମନ୍ତେ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସୁବିଧା ଓ ସେବା ଉପଲବ୍ଧ ହେବା ସହ ଓଡ଼ିଶାର ପ୍ରଥମ କର୍କଟ ରୋଗ ପରିଚାଳନା କେନ୍ଦ୍ର ବୋଲି କୁହାଯାଉଛି ।

କେସିସିରେ ସର୍ଜିକାଲ୍‍ ଅଙ୍କୋଲୋଜି, ମେଡିକାଲ୍‍ ଅଙ୍କୋଲୋଜି, ରେଡିଏସନ୍‍ ଅଙ୍କୋଲୋଜି, ପୀଡ଼ା ଉପଶମ ଯତ୍ନ ଏବଂ ନିଉକ୍ଲିଅର ମେଡିସିନ୍‍ ବିଭାଗ ରହିଥିବା ବେଳେ ଏସବୁ ବିଭାଗରେ ଅଭିଜ୍ଞ ବିଶେଷଜ୍ଞମାନେ ସେବା ଯୋଗାଇ ଦେଉଛନ୍ତି । ଏବେ କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ମେଡିକାଲ୍‍ ଅଙ୍କୋଲୋଜି ବିଭାଗରେ ଡେ-କେୟାର, କେମୋଥେରାପି ଏବଂ ଇମ୍ୟୁନୋଥେରାପି ଆଦି ଚିକିତ୍ସା ଓ ସେବା ଯୋଗାଇ ଦିଆଯାଉଛି ।

ଏହା ସହିତ କର୍କଟ ରୋଗ ନିରୂପଣ, କ୍ୟାନ୍‍ସର୍‍ ରେଜିଷ୍ଟ୍ରେସନ୍‍, ବହୁବିଧ ଟିଉମର୍‍ ନିଦାନ ଓ ପରୀକ୍ଷା, ଏଣ୍ଡୋସ୍କୋପି, ସର୍ଜିକାଲ୍‍ ଅଙ୍କୋଲୋଜି, ରେଡିଏସନ୍‍ ଅଙ୍କୋଲୋଜି, ମେଡିକାଲ୍‍ ଅଙ୍କୋଲୋଜି ଏବଂ ପୀଡ଼ା ଉପଶମ ଯତ୍ନ ଆଦି କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟର କ୍ଲିନିକାଲ୍‍ ସେବାରେ ଅନ୍ତର୍ଭୁକ୍ତ । କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିମ୍‍ସରେ ଏହି ଅତ୍ୟାଧୁନିକ କ୍ୟାନ୍‍ସର୍‍ ସେଣ୍ଟର କର୍କଟ ରୋଗୀଙ୍କ ପାଇଁ ଆଶ୍ୱାସନା ଆଣିବ ।

ଏଠାରେ ସମସ୍ତ ପ୍ରକାର କର୍କଟ ରୋଗ ଚିକିତ୍ସା ନିମନ୍ତେ ବହୁବିଧ ପଦ୍ଧତି ଓ ଏକ ଟ୍ୟୁମର ବୋର୍ଡ ରହିଛି । ଟ୍ୟୁମର ବୋର୍ଡ ରୋଗ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ ନୈତିକ ଓ ସମ୍ବେଦନପୂର୍ଣ୍ଣ ଅନୁଶୀଳନ ଉପରେ ନଜର ରଖିବ । ଏଠାରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଓ ରୋଗୀର ଆର୍ଥିକ ସାଧନକୁ ଦୃଷ୍ଟିରେ ରଖି କର୍କଟ ରୋଗର ଚିକିତ୍ସା ଓ ପରିଚାଳନା କରାଯାଇଥାଏ ବୋଲି ଶ୍ରୀ ସାମନ୍ତ କହିଛନ୍ତି । କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରରେ ରୋଗ ଉପଶମ ପାଇଁ କର୍କଟ ରୋଗ ସହାୟତା ସେବାକୁ ଏକୀକୃତ କରାଯାଇଛି ।

ଏଠାରେ ମଧ୍ୟ ରୋଗୀର ସେବା ଯତ୍ନ କରୁଥିବା ପରିବାରର ସଦସ୍ୟଙ୍କୁ ସହଯୋଗ ଯୋଗାଇ ଦିଆଯାଇଥାଏ ବୋଲି କ୍ୟାନ୍‍ସର୍‍ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି କହିଛନ୍ତି । କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟର ଆଗାମୀ ଦିନରେ କ୍ୟାନ୍‍ସର୍‍ ଚିକିତ୍ସା କ୍ଷେତ୍ରରେ ମାନବ ସମ୍ବଳ ତାଲିମ, ଶୈକ୍ଷିକ କାର୍ଯ୍ୟକ୍ରମ ଓ ଗବେଷଣା କାର୍ଯ୍ୟ ହାତକୁ ନେବ ବୋଲି ସେ କହିଛନ୍ତି । ଏହାଛଡ଼ା ଏହି କେନ୍ଦ୍ର ସମନ୍ୱିତ ରୋଗୀ ଯତ୍ନ, ଆହାର ଓ ଫିଜିଓଥେରାପି ପଦ୍ଧତି ଓ କର୍କଟ ଗବେଷଣା ଉପରେ ଗୁରୁତ୍ୱ ଦେବ ବୋଲି ପ୍ରଫେସର ମହାନ୍ତି ପ୍ରକାଶ କରିଛନ୍ତି ।

କିମ୍‍ସ କ୍ୟାନ୍‍ସର୍‍ ସେଣ୍ଟରର ଅଙ୍କୋଲୋଜି ବିଭାଗରେ ଅତ୍ୟାଧୁନିକ ଲାପାରୋସ୍କୋପିକ୍‍ ଅସ୍ତ୍ରୋପଚାର ଓ ହାରମୋନିକ୍‍ ସ୍କାଲ୍‍ପେଲ୍‍ ସହ ମଡ୍ୟୁଲାର୍‍ ଅସ୍ତ୍ରୋପଚାର ଗୃହ ରହିଛି । ସେହିପରି ରେଡିଏସନ୍‍ ଅଙ୍କୋଲୋଜି ବିଭାଗରେ ଦୁଇଟି ଲିନିଅର ଆକସିଲେରେଟର, ହାଇ ଡୋଜ ବ୍ରାକିଥେରାପି ଏବଂ ରେଡିଏସନ୍‍ ଥେରାପି ଉପଲବ୍ଧ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.