Latest Odisha News

BREAKING NEWS

ସମ୍ ହସ୍ପିଟାଲରେ କୋଭିଡ-୧୯ ଭ୍ୟାକ୍ସିନ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: କୋଭିଡ୍‌-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସୋମବାର ଆରମ୍ଭ ହୋଇଛି ।

ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକସିନର ମଣିଷ ଉପରେ
ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱିକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି।

ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନ୍‌ର ପ୍ରସ୍ତୁତି ଚାଲିଥିବାବେଳେ ସମ୍ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ଭାବେ ପ୍ରିଭେନ୍ଟିଭ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ରିଜିଓନାଲ୍ ମେଡିକାଲ
ରିସର୍ଚ୍ଚ ସେଂଟର (ଆରଏମ୍‌ଆରସି)ର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି, ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗ ଦେଇଥିବା ବେଳେ, ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ ଏବଂ ଭ୍ୟାକସିନ୍ ଟ୍ରାଏଲର ମୁଖ୍ୟ ପରୀକ୍ଷକ ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡଃ ଇ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

ସୋମବାର ଦିନ ଭ୍ୟାକସିନ୍ ଟ୍ରାଏଲର ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିବା ବେଳେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀ ମାନଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ କରାଯିବ ବୋଲି ଡଃ ରାଓ କହିଛନ୍ତି ।

ଏହି ବହୁ ପ୍ରତିକ୍ଷିତ ଭ୍ୟାକସିନ୍‌ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ୍ ଭାବେ ଆଇଏମଏସ ଆଣ୍ଡ ସମ୍ ହସପିଟାଲ ମନୋନୀତ ହୋଇଥିବା ବେଳେ ସୋମବାର ଶୁଭାରମ୍ଭ ହୋଇଥିବା କ୍ଲିନିକାଲ୍ ଟ୍ରାଏଲ ୟୁନିଟ୍ ଓଡିଶାର ଏକମାତ୍ର କେନ୍ଦ୍ରଭାବେ ସମ୍ ହସ୍ପିଟାଲ୍‌ରେ ତାର କାର୍ଯ୍ୟ ଆରମ୍ଭ କରିଛି ।

ଏହି କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ ପରେ ଗଣମାଧ୍ୟକୁ ସୂଚନା ଦେଇ ଡଃ ରାଓ କହିଛନ୍ତି ଯେ ଦେଶ ସମେତ ବିଦେଶର ଅନେକ ଗବେଷଣା ଅନୁଷ୍ଠାନ କରୋନା ଟୀକାର ପରୀକ୍ଷଣ କରୁଛନ୍ତି । ଏହି ପରୀକ୍ଷଣ ନିମନ୍ତେ ଶୁଭାରମ୍ଭ ହୋଇଥିବା ୟୁନିଟ୍ ଟି କ୍ଲିନିକାଲ ଟ୍ରାଏଲର ବିଭିନ୍ନ ଦିଗ ଉପରେ ମନୋନିବେଶ କରି କାର୍ଯ୍ୟ କରିବ ।

୪ଟି ପର୍ଯ୍ୟାୟରେ ମଣିଷ ଉପରେ ଏହି ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି । ଡ୍ରଗସ୍ କଂଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ ଏବଂ ସେଂଟ୍ରାଲ୍ ଡ୍ରଗ ଷ୍ଟାଣ୍ଡାଡାଇଜେସନ କଂଟ୍ରୋଲର ଅରଗାନାଇଜେସନ ଦ୍ୱାରା ଅନୁମୋଦିତ ଭ୍ୟାକସିନ୍ ହିଁ ଏହି ପରୀକ୍ଷଣରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଏହି କରୋନା ମହାମାରୀରୁ ମାନବସମାଜକୁ ବଂଚାଇବା ପାଇଁ ଯେଉଁ ସ୍ୱେଚ୍ଚାସେବୀ ମାନେ ଏହି ଟିକା ପରୀକ୍ଷଣରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନେ http://ptctu.soa.ac.in/ ୱେବସାଇଟ୍‌ରେ ନିଜନାମ ପଂଜିକୃତ କରନ୍ତୁ ଅଥବା ୮୯୧୭୨୧୧୨୧୪ ହ୍ୱାଟସ୍‌ଆପ୍ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଡଃ ରାଓ କହିଛନ୍ତି ।

ଆଇସିଏମଆର – ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭିରୋଲଜି, ପୁଣେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ୍ ପ୍ରସ୍ତୁତ କରଯାଉଛି । ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି ।

ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି ।

Comments are closed.