Latest Odisha News

BREAKING NEWS

ବ୍ୟାଡ଼ମିଣ୍ଟନରେ ସ୍ୱର୍ଣ୍ଣ ଜିତି ଓଡ଼ିଶାକୁ ଗୌରବାନ୍ୱିତ କଲେ ଶ୍ୱେତପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ପୂର୍ବତନ ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିବା ୟୋନେକ୍ସ-ସନରାଇଜ୍ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ମୋଟ ୧୦ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ତାମିଲନାଡୁ, ରାଜସ୍ଥାନ ଓ ହରିଆନାର ଉଦୀୟମାନ ସଟ୍ଲର ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେହିପରି କର୍ଣ୍ଣାଟକ, ଆସାମ ଓ ଉତ୍ତର ପ୍ରଦେଶ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଓଡିଶା ଓ ତେଲେଙ୍ଗାନା ମିଳିତଭାବେ ଅବଶିଷ୍ଟ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ତାମିଲନାଡୁ ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ ଓ ୧୫ ବର୍ଷରୁ କମ୍ ବାଳିକା ଡବଲ୍ସ ମ୍ୟାଚରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଏକ ରୌପ୍ୟ ପଦକ ମଧ୍ୟ ହାସଲ କରିଛି ।

ହରିଆନା ୧୫ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ ଓ ୧୭ ବର୍ଷରୁ କମ୍ ବାଳିକା ଡବଲ୍ସରେ ମୋଟ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲକରିଛି । ଏହାଛଡା ରାଜସ୍ଥାନ ୧୫ ଓ ୧୭ ବର୍ଷରୁ କମ୍ ବାଳକ ଡବଲ୍ସ ମ୍ୟାଚରେ ୨ଟି ସ୍ୱର୍ଣ୍ଣ ପଦକ ଜିତିପାରିଛି ।

ଶ୍ୱେତପର୍ଣ୍ଣା ପଣ୍ଡା ନିଜର ତେଲେଙ୍ଗାନା ସହଯୋଗୀ ସାତ୍ୱିକ୍ ରେଡ୍ଡିକେ’ଙ୍କ ସହ ମିଳିତ ଭାବେ ୧୫ ବର୍ଷରୁ କମ୍ ଡବଲ୍ସ ମ୍ୟାଚ୍ରେ ଚାମ୍ପିୟାନ ହୋଇ ଓଡିଶାକୁ ଗର୍ବିତ କରିଛନ୍ତି ।

କୌଣସି ଜାତୀୟ ପ୍ରତିଯୋଗିତାରେ ଉଭୟ ଶ୍ୱେତପର୍ଣ୍ଣା ଓ ସାତ୍ୱିକଙ୍କ ପାଇଁ ଏହା ଥିଲା ପ୍ରଥମ ସ୍ୱର୍ଣ୍ଣପଦକ ।

ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଆୟୁଷ ପଟ୍ଟନାୟକ ଓ ତାଙ୍କ କର୍ଣ୍ଣାଟକ ସହଯୋଗୀ ସୁବାଷ ଭି, ରାଜସ୍ଥାନର ହିମାଂଶୁ ଖାତ୍ନା ଓ ସୁଭମ୍ ପାଟିଲଙ୍କ ଠାରୁ ପରାଜିତ ହୋଇ ଓଡିଶାକୁ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲକରିବା କ୍ଷେତ୍ରରେ ନିରାଶ କରିଛନ୍ତି ।

ତେବେ ସୁବାଷ ନିଜର ଅନ୍ୟଜଣେ ସହଯୋଗୀ ଜନନୀ ଅନନ୍ତ କୁମାରଙ୍କ ସହ ମିଶି ୧୭ ବର୍ଷରୁ କମ୍ ମିକ୍ସଡ୍ ଡବଲ୍ସ ମ୍ୟାଚ୍ ଜିତି ଚାମ୍ପିୟନ ହୋଇଥିଲେ ଓ ନିଜ ପରାଜୟର ଭରଣା କରିଥିଲେ।

ଏସିଆନ୍ ଜୁନିଅର ରନର୍-ଅପ୍ ତାରା ଶାହ (ମହାରାଷ୍ଟ୍ର) ଉଭୟ ୧୫ ଓ ୧୭ ବର୍ଷରୁ କମ୍ ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମ୍ୟାଚରେ ପରାଜିତ ହୋଇଛନ୍ତି ।

ଏହି ପ୍ରତିଯୋଗିତାର ଉଦଯାପନୀ ସମାରୋହରେ ଓଡିଶାର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, କ୍ରୀଡା ଓ ଯୁବ ସେବା କମିଶନର ତଥା ସଚିବ ବିଶାଲ କେ ଦେବ୍, ପ୍ରତିଯୋଗିତାର କନ୍ଭେନର ରାଜେଶ ପ୍ରଭାକର ପାଟିଲ, ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଆଇଏ) ସାଧାରଣ ସଚିବ ଅଜୟ କୁମାର ସିଂହାନିଆ, ଓଡିଶା ଷ୍ଟେଟ୍ ବ୍ୟାଡମିଣ୍ଟନ ଆସୋସିଏଶନ (ଓଏସବିଏ) ଅଧ୍ୟକ୍ଷ ରୋହିତ ପୂଜାରୀ ଓ ସଚିବ ନୀଲିନ୍ କୁମାର ପ୍ରମୁଖ ପ୍ରତିଯୋଗୀମାନଙ୍କୁ ପଦକ, ଟ୍ରଫି ଓ ନଗଦ ପୁରସ୍କାର ରାଶି ପ୍ରଦାନ କରିଥିଲେ।

Leave A Reply

Your email address will not be published.