Latest Odisha News

BREAKING NEWS

ଦୁଇ ପୁରୁଷ ହକି ଖେଳାଳିଙ୍କୁ ୫୦ଲକ୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା

ଭୁବନେଶ୍ୱର : ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଆୟୋଜିତ ହୋଇଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାତେଇବାରେ ସଫଳ ହୋଇଥିଲା । ଏହି ହକି ଦଳରେ ଖେଳୁଥିବା ଦୁଇଜଣ ଓଡିଆ ଖେଳାଳୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଏହି ଦୁଇଜଣ ଓଡିଆ ଖେଳାଳୀ ହେଉଛନ୍ତି ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ । ଭାରତୀୟ ହକି ଦଳର ଦୁଇ ନିଭରଯୋଗ୍ୟ ଓ ଦକ୍ଷ ଡିଫେଣ୍ଡର ଭାବେ ଦିଲ୍ଲୀପ ତିର୍କିଙ୍କ ପରି ଲାକ୍ରା ଓ ରୋହିଦାସ ବେଶ୍ ପରିଚିତ ।

ଅନ୍ୟପକ୍ଷରେ ବୀରେନ୍ଦ୍ର ଲାକ୍ରା ୨୦୧୨ ଲଣ୍ଡନ ଅଲମ୍ପିକ୍ସ ଖେଳିଥିବା ସ୍ଥଳେ ରୋହିଦାସ ୨୦୧୮ ରେ ରାଜ୍ୟଗୋଷ୍ଠୀ କ୍ରୀଡା ଓ ୨୦୧୩ ଏସିଆ କପରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିଲେ ।

ଏଥିସହିତ ଓଡିଶା ସରକାର ଏହି ଦୁଇ ଜଣଙ୍କୁ ପୁରସ୍କାର ରାଶି ପ୍ରଦାନ କରିବା ସହିତ ସେମାନଙ୍କ କୋଚ ମାନଙ୍କୁ ମଧ୍ୟ ପୁରସ୍କାର ଘୋଷଣା କରିଛନ୍ତି । ବ୍ୟକ୍ତିଗତ ଇଭେଣ୍ଟରେ ଦେଶର ଶ୍ରେଷ୍ଠ ସ୍ୱର୍ଣ୍ଣ ବିଜେତାଙ୍କୁ ଜନୈକ ୩କୋଟି ଟଙ୍କା ଓ ଦଳଗତ ଇଭେଣ୍ଟର ବିଜେତାଙ୍କୁ ଦୁଇ କୋଟି ଟଙ୍କାର ପୁରସ୍କାର ଦିଆଯିବାର ଘୋଷଣା ମଧ୍ୟ କରାଯାଇଛି ।

ସେହିପରି ରୌପ୍ୟ ବିଜେତାଙ୍କ ଲାଗି ଦେଢ କୋଟି ଦଳଗତ ଇଭେଣ୍ଟ ଲାଗି ୧କୋଟି ଘୋଷଣା କରିଛନ୍ତି । ଏଥିସହିତ ୭୫ଲକ୍ଷ ଏବଂ ୫୦ଲକ୍ଷ ଯଥାକ୍ରମେ ଉଭୟ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟ ର ବ୍ରୋଞ୍ଜ ବିଜେତାଙ୍କୁ ଦିଆଯିବ । ଏଥିସହିତ କୃତି କ୍ରୀଡାବିତ୍ କୋଚମାନେ ମଧ୍ୟ ପୁରସ୍କାର ରାଶିର କୋଡିଏ ପ୍ରତିଶତ ପାଇବେ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଭାରତୀୟ ପୁରୁଷ ହକି ଦଳ ଏସିଆନ ଗେମସ୍ରେ ବିପକ୍ଷ ଦଳ ପାକିସ୍ତାନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାତେଇବାରେ ସଫଳ ହୋଇଥିଲା । ଅନ୍ୟପକ୍ଷରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୌଡ ରାଣୀ ଦୂତୀ ଚାନ୍ଦଙ୍କୁ ୩ କୋଟି ଟଙ୍କା ଏବଂ ମହିଳା ହକି ଟିମରେ ସାମିଲ ଥିବା ୪ ଓଡିଆ ଝିଅଙ୍କୁ ୧ କୋଟି ଲେଖାଏଁ ଅର୍ଥ ରାଶି ଘୋଷଣା କରିଥିଲେ ।

Leave A Reply

Your email address will not be published.