Latest Odisha News

ନିଜାମୁଦ୍ଦିନ୍ ସଭାରେ ଯୋଗଦେଇଥିବା ସମସ୍ତଙ୍କୁ ଟେଷ୍ଟ୍ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ସମାବେଶରେ ଯୋଗଦେଇ ଓଡିଶା ପେରିଥିବା ସମସ୍ତ ବ୍ୟକ୍ତିଙ୍କୁ ନ ଡରି ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏଥିରେ ଯୋଗଦେଇଥିବା ସମସ୍ତଙ୍କୁ ୧୦୪ ଟୋଲ୍ ଫ୍ରି ନମ୍ବରରେ ତୁରନ୍ତ ଯୋଗାଯୋଗ କରିବାକୁ ସେ କହିଛନ୍ତି । ଡାକ୍ତରଙ୍କ ପରାମର୍ଶ ମାନି ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌୧୯ ଟେଷ୍ଟ ପାଇଁ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି । ସରକାର ସେମାନଙ୍କ ସହିତ ରହିଥିବାରୁ ନ ଡରିବା ପାଇଁ ପରାମର୍ଶ ଦେବା ସହିତ ନିଜ ପରିବାର ଓ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରିବାକୁ ସେ ମାଆ ମାନଙ୍କୁ ଅନୁରୋଧ କରିଛନ୍ତି ।

ବିଳମ୍ବ କଲେ ଏହା ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ ଅସୁବିଧାରେ ପକାଇପାରେ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି ବ୍ୟକ୍ତିମାନଙ୍କ ସହଯୋଗ ହିଁ ସେମାନଙ୍କ ପରିବାର ସହିତ ସାରା ମାନବ ଜାତିର ବହୁତ ବଡ ଉପକାର କରିପାରିବ ବୋଲି ସେ କହିଛନ୍ତି । କରୋନାକୁ ମାନବ ଜାତିର ସବୁଠାରୁ ବଡ ଶତ୍ରୁ ଭାବେ ଅଭିହିତ କରି କେବଳ ସଚେତନତା ଦ୍ୱାରାହିଁ ଆମେ କରୋନା ସଂକ୍ରମଣକୁ ରୋକିପାରିବା ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଦିଲ୍ଲୀ ନିଜାମୁଦ୍ଦିନ୍ ସମାବେଶରୁ ଓଡିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏଯାଏ ୨୮ ଜଣଙ୍କୁ ଠାବ କରାଯାଇ ସେମାନଙ୍କର କୋଭିଡ୍‌୧୯ ନମୁନା ପରୀକ୍ଷା କରାଯାଇଛି । ଏଥି ମଧ୍ୟରୁ ତିନି ଜଣ କରୋନା ପଜିଟିଭ୍ ଥିବା ବେଳେ ଅନ୍ୟ ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଏହି ସମାବେଶରୁ ଫେରି ରାଜ୍ୟରେ ଆହୁରି ଅନେକ ବ୍ୟକ୍ତି ରହିଥିବାର ସମ୍ଭାବନା ଦୃଷିରୁ ସେମାନଙ୍କୁ ଠାବ କରିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଉଛି ।

Leave A Reply

Your email address will not be published.