Latest Odisha News

ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ହେବ ମଡେଲ ସ୍କୁଲ

ଭୁବନେଶ୍ୱର: ଆଧୁନିକ ଓଡିଶା ଗଠନ ଓ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଏ ଅଞ୍ଚଳରେ ଜନ୍ମ ନେଇଥିବା ଉତ୍କଳ ଗୌରବ ମଧୁସୁଦନଙ୍କ ଭୂମିକା ଅତୁଳନୀୟ ଥିଲା। ଗଣକବି ବୈଷ୍ଣବ ପାଣି ଆମ ଓଡିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ଋଦ୍ଧିମନ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଉଦ୍‌ବୋଧନ ଦେଇ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୬୦ ମସିହାରେ ଜଣେ ଶିକ୍ଷାନୁରାଗୀ ଜମିଦାର ଅହମ୍ମଦ ବକ୍ସଙ୍କ ନାମରେ ନାମିତ ଏହି ବିଦ୍ୟାଳୟ ଶିକ୍ଷାଦାନ କ୍ଷେତ୍ରରେ ଅଞ୍ଚଳ ପାଇଁ ଆଲୋକବର୍ତ୍ତିକା ପାଲଟିଛି ଏବଂ କଟକ ଜିଲ୍ଲାରେ ସୁନାମ ଅର୍ଜନ କରିଛି। ଏହି ବିଦ୍ୟାଳୟକୁ ଆଗାମୀ ଦିନରେ ଏକ ମଡେଲ ସ୍କୁଲରେ ପରିଣତ କରିବା ପାଇଁ ଉଦ୍ୟମ କରାଯିବ। ସ୍କୁଲର ସବୁ ସମସ୍ୟା ଦୂର ହେବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆମ ସରକାର ଲୋକଙ୍କ ସରକାର। ଗତ ୨୪ ବର୍ଷ ମଧ୍ୟରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ହାତ ମିଳେଇବା ତ ଦୂରର କଥା ଦେଖା ମଧ୍ୟ ପାଉନଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏ ବ୍ୟବଧାନ ମଧ୍ୟ ଆଜି ଦୂର ହୋଇଛି। ନୂଆ ସରକାର ଆସିବା ପରେ ଆମେ ଆଜି ଅନେକ ନିଷ୍ପତ୍ତି ନେଇଛୁ। ଶପଥ ନେବାର ଘଣ୍ଟାଏ ଭିତରେ ନିଷ୍ପତ୍ତି ନେଇ ପରଦିନ ସକାଳୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ଯାଇ ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ବ୍ୟବଧାନକୁ ହଟାଇ ଦିଆଗଲା। ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନର ନିଷ୍ପତ୍ତି ନିଆଗଲା। ଦାୟିତ୍ୱ ନେବାର ଏକ ମାସ ମଧ୍ୟରେ ରତ୍ନ ଭଣ୍ଡାର ଖୋଲାଗଲା।

ଓଡିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଗଲା। ଦାୟିତ୍ୱ ନେବା ପରେ ପ୍ରଥମ କ୍ୟାବିନେଟରେ ଚାଷୀଭାଇଙ୍କ ଧାନର ସର୍ବନିମ୍ନ ମୂଲ୍ୟ ୩୧୦୦ ଟଙ୍କା ସହିତ ସୁଭଦ୍ରା ଯୋଜନାରେ ମହିଳାଙ୍କ ପାଇଁ ୫୦ ହଜାର ଟଙ୍କାର ଭାଉଚର ପରି କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆ ଯାଇଛି। ଖୁବ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ମୋର କଥା ଓ ପ୍ରତିଶୃତି ପାଣିର ଗାର ହେବ ନାହିଁ। ଆମେ ଯାହା ପ୍ରତିଶୃତି ଦେଇଛୁ ତା’ହା ନିଶ୍ଚୟ ପୂରଣ କରିବୁ। ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାରକୁ କଡାକଡି କରିବୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ମାଧ୍ୟମରେ ଆଜି ସାଧାରଣ ଲୋକଟିଏ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ତା’ର ସୁବିଧା ଅସୁବିଧା ଜଣାଇ ପାରୁଛି।

 

Comments are closed.