Latest Odisha News

BREAKING NEWS

ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଳାହାଣ୍ଡିର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଭିଡିଓ କନଫରେନ୍ସ ଯୋଗେ ସମୀକ୍ଷା କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ ହାତୀ ମୃତ୍ୟୁ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷେତ୍ରରେ ରାଜ୍ୟ ତଥା ଦେଶର ବିଶେଷଜ୍ଞ ମାନଙ୍କ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଅଭୟାରଣ୍ୟ ଓ ତାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଥିବା ଗୃହପାଳିତ ପଶୁମାନଙ୍କର ଟୀକାକରଣ ସୁନିଶ୍ଚିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ, ଡିଏଫଓ ଓ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭୟାରଣ୍ୟରେ ଥିବା ସମସ୍ତ ଜଳାଶୟଗୁଡିକୁ ତୁରନ୍ତ ବିଶୋଧନ କରିବା ଏବଂ ଜଳର ନମୂନା ତୁରନ୍ତ ପରୀକ୍ଷା କରିବା ସହିତ ନିୟମିତ ପରୀକ୍ଷା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହି ହାତୀଗୁଡିକ Pasteurella Multocida ନାମକ ଏକ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ ହୋଇ Hemorrhagic Septicemia ରୋଗରୁ ମୃତ୍ୟୁବରଣ କରିଛନ୍ତି । ଏହି ଦଳରେ ସମୁଦାୟ ୮ଟି ହାତୀରୁ ୬ଟିର ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଆଉ ଦୁଇଟି ହାତୀ ଦଳ ରହିଛନ୍ତି । ସେହି ଦଳଗୁଡିକୁ ଟ୍ରାକ୍‌ କରାଯାଇ ସେମାନେ ଯେପରି ସଂକ୍ରମିତ ଦଳର ସଂସ୍ପର୍ଶରେ ନ ଆସିବେ, ସେଥିପାଇଁ ପଦକ୍ଷେପ ନିଆଯାଉଛି । ଏହାସହିତ ଏହି ଅଞ୍ଚଳରେ ଥିବା ୪୩ଟି ଜଳାଶୟରୁ ୨୫ଟି ଜଳାଶୟର ବିଶୋଧନ କରାଯାଇଛି ଏବଂ ବାକି ଗୁଡିକର ବିଶୋଧନ କରାଯାଉଛି ।

ହାତୀମାନଙ୍କର ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ରେଞ୍ଜ୍‌ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଦୁଇଟି ଜୋନ୍‌କୁ ନେଇ ୧୦ଟି ଟିମ୍‌ ଗଠନ କରାଯାଇଛି । ଜଙ୍ଗଲ ବିଭାଗ ଓ ପଶୁସଂପଦ ବିଭାଗରୁ ଦୁଇଟି ରାଜ୍ୟସ୍ତରୀୟ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇ ପରିସ୍ଥିତିକୁ ଆକଳନ କରାଯିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି । ଅଭୟାରଣ୍ୟ ଓ ତାର ଆଖପାଖ ଗାଁ ଗୁଡିକରେ ଗୃହପାଳିତ ପଶୁଗୁଡିକର ଟୀକାକରଣ କରାଯାଉଛି ।

Project Elephantର IG ଏବଂ Wildlife Institute of Indiaର ନିର୍ଦ୍ଦେଶକଙ୍କୁ ଓଡିଶାକୁ ଏକ ଟିମ୍‌ ପଠାଇ ପ୍ରତିରୋଧକ ବ୍ୟବସ୍ଥା ଓ ପରାମର୍ଶ ପାଇଁ ଅନୁରୋଧ କରାଯାଇଛି । ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଜଙ୍ଗଲ ବିଭାଗର ବରିଷ୍ଠ ଅଫିସର ମାନେ ଉପସ୍ଥିତ ଥିଲେ । କଳାହାଣ୍ଡିରୁ PCCF ଏବଂ ଜିଲ୍ଲାପାଳ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇଥିଲେ ।

Comments are closed.