Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯିଏ ଜନ ବିରୋଧୀ, ସିଏ ମନ୍ତ୍ରୀ ପ୍ରତାପ ଦେବଙ୍କ ପାଇଁ ଜରୁରୀ !

ଭୁବନେଶ୍ୱର: ରେମୁଣା ବିଧାୟକ ସୁଧାଂଶୁ ପରିଡା ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ଗତ 21 ତାରିଖରେ ଦଳରୁ ବହିଷ୍କୃତ କରିଥିଲେ। ଜନ ବିରୋଧାୀ ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ଆଉଟ୍ କରିଥିଲେ। ଏହି ପ୍ରସଙ୍ଗ ଆଜି ବି ଚର୍ଚ୍ଚାରେ ଥିବା ବେଳେ ରେମୁଣା ଭୀମାପୁରାରେ ଅନୁଷ୍ଠିତ ଦଳର ସାଙ୍ଗଠନିକ ବୈଠକରେ ବିଧାୟକ ତଥା ବହିଷ୍କୃତ ନେତା ଯୋଗ ଦେବା ରାଜନୈତିକ ପାଣିପାଗକୁ ଉଷ୍ନ କରିଦେଇଛି।

ବାଲେଶ୍ବର ଭୀମାପୁରାରେ ବିଜେଡିର ସାଙ୍ଗଠନିକ ବୈଠକ ବସିଥିଲା। ଏହି ବୈଠକ ଯେତିକି ଗୁରୁତ୍ବ ରଖୁନଥିଲା ବାହାର ଲୋକଙ୍କ ପାଇଁ କିନ୍ତୁ ଗୁରୁତ୍ବ ବଢିଲା ଯେତେବେଳେ ଦଳୀୟ ବ୍ୟାନରରେ ବହିଷ୍କୃତ ନେତା ସୁଧାଂଶୁ ପରିଡା ଆସି ବୈଠକରେ ଯୋଗଦେଲେ ଆଉ ଉଦବୋଧନ ଦେଇ ଦଳକୁ ଆଗକୁ ନେବାକୁ ଆହ୍ବାନ କଲେ।

ଏହି ବୈଠକରେ ତାଙ୍କର ଉପସ୍ଥିତି ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ସୃଷ୍ଟି କରିଥିବା ବେଳେ ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ବିଧାୟକ ସୁଧାଂଶୁ ପରିଡାଙ୍କୁ କିଏ ବୈଠକକୁ ଡାକିଥିଲା ସେନେଇ ପ୍ରଶ୍ନ ଉଠିଛି।

ଏହି ସଭାରେ ବିଜେଡିର ବାଲେଶ୍ୱର ଜିଲ୍ଲା ଉପସଭାପତି ପ୍ରଭାତ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଯେଉଁଭଳି ଭାବେ ନିର୍ଦ୍ଦେଶ ଦେଇଛନ୍ତି, ସେଭଳି ଭାବେ ସଭାକୁ ପରିଚାଳନା କରାଯାଇଛି। ସେହିପରି ରେମୁଣା ବିଧାୟକ ଉପସ୍ଥିତ ସଭାରେ ଉଦବୋଧନ ଦେଇ ଉପରୋକ୍ତ ନିର୍ଦ୍ଦେଶ ପାଳନ କରି ସଭାକୁ ଆସିଥିବା କହିଥିଲେ।

ଜଣେ ଦଳୀୟ କର୍ମୀଙ୍କ ସହ ଟେଲିଫୋନରେ ଆଲୋଚନା ବେଳେ ପ୍ରତାପ ଦେବ ସ୍ୱୀକାର କରିଛନ୍ତି ଯେ ତାଙ୍କ ନିର୍ଦ୍ଦେଶରେ ସୁଧାଂଶୁ ପରିଡ଼ାଙ୍କୁ ଦଳକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ମନ୍ତ୍ରୀ ସିଧାସଳଖ ଏହାର ଜବାବ ଦେଇନଥିବା ବେଳେ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି ପ୍ରଶ୍ନକୁ ଟାଳି ଦେଇଛନ୍ତି।

ରାଜନୈତିକ କରିଡରରେ ଏବେ ଚର୍ଚ୍ଚା ହେଉଛି ଯେ, ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବହିଷ୍କାର କେବଳ ଏତିକି ପାଇଁ କରାଯାଇଥିଲା ଯେ, ଦଳ ବିରୋଧୀ କାମରେ ଯିଏ ବି ସାମିଲ ହୁଅନ୍ତୁ ନା କାହିଁକି ତାଙ୍କ ପ୍ରତି ଦଳ କଠୋର ବୋଲି ଜଣାପଡ଼ିବ।

ପ୍ରତାପ ଦେବ କେବଳ ଜିଲ୍ଲା ପର୍ଯ୍ୟବେକ୍ଷକ ନୁହନ୍ତି, ସେ ଜଣେ ବରିଷ୍ଠ ମନ୍ତ୍ରୀ ମଧ୍ୟ। ସେ ଯାହା କରୁଛନ୍ତି ତାହା କେବଳ ଦଳୀୟ କର୍ମୀଙ୍କୁ ଅସୁବିଧାରେ ପକାଉଛି। ତାଙ୍କ ଉପସ୍ଥିତିରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଭୁଲ୍ ଏବଂ ସୁଧାଂଶୁ ପରିଡ଼ା ଏବେ ବି ଦଳ ସହ ଅଛନ୍ତି ବୋଲି ବାର୍ତ୍ତା ଦେଉଛି ବୋଲି କୁହାଯାଉଛି।

Leave A Reply

Your email address will not be published.