Latest Odisha News

BREAKING NEWS

ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ସାରା ଦେଶରେ ଭୟଙ୍କର ରୂପ ନେଉଛି ମହାମାରୀ କରୋନା । ସଂକ୍ରମଣ ବଢୁଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ଲାଗିଲାଣି କଟକଣା । ତେବେ ରାଜ୍ୟରେ ମଧ୍ୟ ସମାନ ଅବସ୍ଥା । ପ୍ରତିଦିନ ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ କୋଭିଡ୍‌ ବେଡ୍‌ ସଂଖ୍ୟା ବୃଦ୍ଧି କରିବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ରାଜ୍ୟରେ ଲାଗୁ ହେଲାଣି ଲକ୍‌ଡାଉନ୍‌ । ଏପରିସ୍ଥିତିରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଳକଡାଉନ୍ ଲାଗୁ ପରେ ରାଜ୍ୟକୁ ଫେରିପାରନ୍ତି ପ୍ରବାସୀ । ତେଣୁ ପ୍ରବାସୀଙ୍କ ଫେରିବା ନେଇ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ସହ ସେମାନଙ୍କ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସର୍ବାଧିକ ବେଡ୍‌କୁ ଅମ୍ଲଜାନ ବ୍ୟବସ୍ଥା ଉପଲବ୍ଧ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଅକ୍ସିଜେନ୍ ଓ ବେଡର ଅଭାବ ନଥିଲେ ମଧ୍ୟ ପ୍ରସ୍ତୁତିକୁ ବ୍ୟାପକ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ନବୀନ ।

ଖାଲି ସେତିକି ନୁହେଁ, ଲକଡାଉନ୍ ବିନା କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା, ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.