Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳକୁ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ରୂପେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଆଜି ସମ୍ବଲପୁରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଥିଲା । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭେଟଘାଟକୁ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସମ୍ବଲପୁର ହେଉଛି ବୀରତ୍ୱର ମାଟି । ଏଣୁ ସମ୍ବଲପୁର ଐତିହାସିକ ସ୍ୱାଧୀନତା ସଂଗ୍ରାମ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠ ଗୁଡିକର ଉନ୍ନତିକଣାର ନିମନ୍ତେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଧାନ କେବଳ ଖାଦ୍ୟଶସ୍ୟ ନୁହେଁ, ଏହା ଚାଷୀ ଭାଇ ଓ ଭଉଣୀଙ୍କ ଝାଳବୁହା ପରିଶ୍ରମର ଫଳ। ପ୍ରତ୍ୟେକ ଧାନର ଦାନାରେ ଜଣେ କୃଷକଙ୍କ ଶ୍ରମ, ସହନଶୀଳତା ଓ ସ୍ୱପ୍ନ ଲୁଚିଥାଏ। ନୂଆଁଖାଇ ଆମକୁ ସେହି କୃଷକଙ୍କ ପ୍ରତି କୃତଜ୍ଞ କରିଥାଏ। ଏହି ପର୍ବରେ ସେମାନଙ୍କର ସମ୍ମାନ ସବୁଠାରୁ ଅଧିକ। ସମ୍ବଲପୁର ପଶ୍ଚିମ ଓଡିଶାର ଏକ ବିଶେଷ ସ୍ଥାନ, ଯାହା କଳା, ସଂସ୍କୃତିର ବିଶେଷ ବାର୍ତ୍ତା ବହନ କରେ। କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓଡିଶା ପାଇଁ ସ୍ୱତନ୍ତ୍ରତା ବହନ କରନ୍ତି ।

ନୂଆଁଖାଇ ହେଉଛି ଚାଷ ଭିତ୍ତିକ ପର୍ବ, କୃଷକଙ୍କ ପରିଶ୍ରମ ପାଇଁ ଆମେ ପାଳୁଥିବା ପର୍ବ । ରାଜ୍ୟର କୃଷକ ପରିବାରଙ୍କ ଆୟ କେବଳ ଦୁଇ ଗୁଣ ନୁହେଁ, ବହୁ ଗୁଣିତ କରିବା ପାଇଁ ସରକାର ପ୍ରତିବଦ୍ଧ । ଆମ ସରକାର ହେଉଛି ଲୋକଙ୍କ ସରକାର, ଆପଣଙ୍କ ସରକାର। କେବଳ କାଗଜପତ୍ର କି ପ୍ରଚାର ପାଇଁ ନୁହେଁ । ଗତ ଏପ୍ରିଲ ୨୧ ତାରିଖ ଦିନ ମୁଁ ପୁରା କ୍ଯାବିନେଟ ଓ ପ୍ରଶାସନକୁ ନେଇ ଆସିଥିଲି ଆପଣଙ୍କ କଥା ଶୁଣିବାକୁ । ସମ୍ବଲପୁର ଅଭିଯୋଗ ଶୁଣାଣିରେ ମୋତେ ପ୍ରାୟ ୯ ହଜାର ୩୭୭ ଗୋଟି ଅଭିଯୋଗ ମିଳିଥିଲା ଯାହା ମଧ୍ୟରୁ ତୁରନ୍ତ ସେହି ସ୍ଥାନରେ ୮୮ ପ୍ରତିଶତ ସମାଧାନ କରାଯାଇଥିଲା । ତେଣୁ ଆଗାମୀ ଦିନରେ ଓଡିଶାର ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାକୁ ଯାଇ କେବଳ ଅଭିଯୋଗ ଶୁଣିବ ତାହା ନୁହେଁ, ଯଦି ଆବଶ୍ୟକ ହୁଏ, ମୁଁ କ୍ୟାବିନେଟ୍ ମିଟିଂ ବି କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ ପୁଣି କହିଥିଲେଯେ ଆମ ସରକାର ରାଜ୍ୟର ପ୍ରତିଟି ଜିଲ୍ଲାକୁ ଶିଳ୍ପାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ରୁତ ବିକାଶ ପାଇଁ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଗମନାଗମନ । ଏଣୁ ରାଜ୍ୟ ସରକାର ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ- ପାରାଦୀପ-ଚୌଦ୍ବାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲା କୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ବିକଶିତ କରିବେ । ଏହା ନିରବଚ୍ଛିନ୍ନ ସେବାକୁ ସୁଗମ କରି ଦ୍ରୁତ ଏବଂ ସମନ୍ବିତ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ । ଆମେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରୁଛୁ । ଏଥିରେ ହୀରାକୁଦ ଜଳଭଣ୍ଡାର, ଦେବ୍ରିଗଡ଼ ଜଙ୍ଗଲର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ଏବଂ ନିକଟବର୍ତ୍ତୀ ସମ୍ବଲପୁର ସହର ଏବଂ ମା ସମଲେଇଙ୍କ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନିଆଯିବ। ହରିଶଙ୍କର-ନୃସିଙ୍ଘନଥ ପୀଠକୁ ସ୍ଵତନ୍ତ୍ର ଭାବେ ବିକଶିତ କରାଯିବ ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ ନୂଆଖାଇ କେବଳ ଗୋଟିଏ ଦିନର କି ଦୁଇ ଦିନର ପର୍ବ ନୁହେଁ । ଏହା ହେଉଛି ଗଣପର୍ବ। ବହୁତ ଦିନ ଧରି ଏହା ଚାଲେ, ବାସି, ତିଆସି ଭାବେ । ଏଣୁ ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ, ଆମ ସରକାର ଚଳିତ ବର୍ଷ ନୂଆଖାଇ ପରଦିନକୁ ମଧ୍ୟ ସରକାରୀ ଛୁଟି ଭାବେ ଘୋଷଣା କରିଥିଲେ । ନୂଆଖାଇ ଆମକୁ କହେ ପରିବାରରେ ଏକତା ରଖ। ସମାଜରେ ଶାନ୍ତି ଓ ସହଯୋଗକୁ ବଢାଅ।ପ୍ରକୃତିକୁ ମା’ ଭାବି ସମ୍ମାନ କର। କୃଷକଙ୍କୁ ସମ୍ମାନ ଦେଇ, ସେମାନଙ୍କ ପରିଶ୍ରମକୁ ସଫଳ ରୂପାୟନ କରିବାରେ ନିଜକୁ ସାମିଲ କରିବା। ନୂଆଖାଇ କେବଳ ପର୍ବ ନୁହେଁ ଏହା ଆମର “ଅସ୍ତିତ୍ୱର ପରିଚୟ”।

Comments are closed.