Latest Odisha News

ଯାଜପୁର ଜିଲ୍ଲାର ୩ଟି ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଯାଜପୁର/ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଗସ୍ତ କରିବା ଅବସରରେ ଜିଲ୍ଲାର ୩ଟି ବ୍ଲକ ଦଶରଥପୁର, ଧର୍ମଶାଳା ଏବଂ ବିଞ୍ଝାରପୁର ବ୍ଲକ ପରିଦର୍ଶନ କରି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କର ଦଶରଥପୁର ବ୍ଳକରେ ପୂର୍ବାହ୍ନ ୧୧ଟା ୩୦ ମିନିଟରେ ପହଞ୍ଚି ୪ କୋଟି ଟଙ୍କା ବ୍ୟୟରେ ୨ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ସେଥିମଧ୍ୟରେ ଯଦୁଆ ହାଇସ୍କୁଲ ରାସ୍ତା ଏବଂ ଗୁଠୁଣୀପଡ଼ା ସେତୁ ଏବଂ ରାସ୍ତାର ଉଦଘାଟନ ହୋଇଛି ।

ଏହାବ୍ୟତୀତ, ମୁଖ୍ୟମନ୍ତ୍ରୀ ୭ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଦତ୍ତପୁର ଓ ନୂଆପାଟଣାଠାରେ ବୈତରଣୀ ନଦୀ ଉପରେ ୨ଟି ସେତୁ, ଦେୱାନୀପାଟଣା ଅନ୍ତର୍ଗତ ଦୁହୁଡ଼ିସାହି ରାସ୍ତା ଏବଂ ସେତୁ ତଥା ବୃନ୍ଦାବନପୁର ଅନ୍ତର୍ଗତ ସାଉଣ୍ଡି ଏବଂ ମଦରଖଣ୍ଡ ବାବାଲପୁର ରାସ୍ତାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଶରଥପୁର ମେଗା ଜଳଯୋଗାଣ ପ୍ରକଳ୍ପ ଏବଂ ଦକ୍ଷିଣବନ୍ଧ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଯାଜପୁର ଜିଲ୍ଲା ଗସ୍ତ ସମୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଶାଳା ବ୍ଲକରେ ୪୫୭ କୋଟି ଟଙ୍କାର ୨୪୫ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ସେଥିମଧ୍ୟରେ ନୂଆହାଟ ଖଡ଼ିଅଙ୍ଗା ରାସ୍ତାରେ ବଡ଼ଗେଙ୍ଗୁଟୀ ନଦୀ ଉପରେ ସେତୁ, ମହୁଲଖଳି ରାସ୍ତା ଉନ୍ନତିକୃତ ଏକ୍ସପ୍ରେସ ୱେ, କଲଣ ସେତୁ, ଓøରଙ୍ଗାବାଦ ପାଇପ ଜଳଯୋଗାଣ ପ୍ରକଳ୍ପ, ୧୦୦ଟି ଆମ ଗାଁ ଆମ ବିକାଶ ପ୍ରକଳ୍ପ ୭୭ଟି ଅଙ୍ଗନୱାଡ଼ି କେନ୍ଦ୍ର, ବାରବାଟି-ଶବରସାହି, ବାଜବାଟି ଏବଂ ଖୁଣ୍ଟାରେ ୫ଟି ଉନ୍ନତିକୃତ ରାସ୍ତା ଏବଂ ୩୦ଟି ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଞ୍ଝାରପୁର ବ୍ଲକରେ ୩୮ କୋଟି ଟଙ୍କାର ୫ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଞ୍ଝାରପୁର ବ୍ଲକର କଣ୍ଟିତର, ଅର୍ଗଲକଟ୍ ଏବଂ ବାଗମରାଠାରେ ୩ଟି ସେତୁ, ବିତନା ପ୍ରୀତିପୁର ୩୩/୧୧ କେ ଭି ସବଷ୍ଟେସନ ଏବଂ ବାଙ୍ଗରା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ରହିଛି । ଏହାଛଡ଼ା ବିଞ୍ଝାରପୁର ବ୍ଲକରେ ୩ କୋଟି ଟଙ୍କା ବ୍ୟୟରେ ୨ଟି ପ୍ରକଳ୍ପ ଯଥା ଓଲେଇଚନ୍ଦନପୁର ଜଳଯୋଗାଣ ପ୍ରକଳ୍ପ ଏବଂ ସିଂହପୁର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.